ନୂଆଦିଲ୍ଲୀ(ଆମ ଟିଭି): ତେଲଙ୍ଗାନାର ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ରାସ୍ତାକଡ଼ ଷ୍ଟଲରେ ମୋମୋ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୧୫ ଜଣ ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ମୃତ ମହିଳାଙ୍କ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ମୋମୋ ଖାଇବା ପରେ ମହିଳା ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ପୋଲିସ ସୂଚନା ମୁତାବକ, ମହିଳାଙ୍କ ମୃତଦେହକୁ ପୋତି ଦିଆଯାଇଛି । ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଯାଞ୍ଚ ଚାଲିଛି । ଏ ଯାଏ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ରବିବାର ରେଶ୍ମା ବେଗମ୍ ଏବଂ ଅନ୍ୟ କେତେଜଣ ଲୋକ ‘ଦିଲ୍ଲୀ ମୋମୋଜ୍’ ନାମକ ଫୁଡ୍ ଷ୍ଟଲରୁ ମୋମୋ ଖାଇଥିଲେ । ପ୍ରାୟ ୩ ମାସ ତଳେ ବିହାରରୁ ଆସିଥିବା ଜଣେ ଯୁବକ ନିଜର ୫ ଜଣ ସାଙ୍ଗଙ୍କ ସହ ମିଶି ଏଠାରେ ଷ୍ଟଲ ପକାଇଥିଲେ ।
ଏହି ମାମଲାରେ ପୋଲିସ ଷ୍ଟଲ ପକାଇଥିବା ଯୁବକମାନଙ୍କ ବିରୋଧରେ ମାମଲା ରୁଜୁ କରିଛି । ବର୍ତ୍ତମାନ ମହିଳାଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି, ଆମେ ଏ ନେଇ ଯାଞ୍ଚ ଚଳାଇଛୁ । ଷ୍ଟଲ ପକାଇଥିବା ଯୁବକମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।