ନୂଆଦିଲ୍ଲୀ(ଆମ ଟିଭି): ସୁପର ସନଡେରେ ସୁପର ମ୍ୟାଚ୍ । ଆଜି ମହିଳା ଟି-୨୦ ବିଶ୍ୱକପ ଫାଇନାଲ ଲଢେଇ। ଗତଥର ବିଜେତା ଅଷ୍ଟ୍ରେଲିଆ ଟ୍ରଫି ବଜାୟ ରଖିପାରିବ ନା ଆୟୋଜକ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଲାଗି ଟ୍ରଫି ତୋଳିଧରିବ ତାହା ରବିବାର ଫାଇନାଲ୍ ମୁକାବିଲା ପରେ ସ୍ପଷ୍ଟ ହୋଇଯିବ । ତେଣୁ ଫାଇନାଲ୍ରେ ୫ ଥର ବିଶ୍ବ ବିଜେତା ଅଷ୍ଟ୍ରେଲିଆ ସାମ୍ନାରେ ଉଭା ହେବ ଦକ୍ଷିଣ ଆଫ୍ରିକା । ଯଦି ଦକ୍ଷିଣ ଆଫ୍ରିକା ଜିତେ ତାହାଲେ ଆୟୋଜକ ଭାବେ ବିଶ୍ବ କପ୍ ହାସଲ କରିବାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରେ ତୃତୀୟ ଦଳ ହୋଇଯିବ । ନଚେତ୍ ଅଷ୍ଟ୍ରେଲିଆ ମହିଳା ଦଳ ବିଶ୍ବ ବିଜେତା ବୋଲି ପୁଣି ଥରେ ପ୍ରମାଣିତ ହୋଇଯିବ । ଏଥର ଫାଇନାଲିଷ୍ଟଙ୍କୁ ଦେଖିଲେ ଆଉ ଏକ ଉଲ୍ଲେଖନୀୟ ଘଟଣା ହେଲା ଗୋଟିଏ ଗ୍ରୁପ୍ର ଦୁଇ ଦଳ ଟ୍ରଫି ପାଇଁ ଲଢ଼ିବେ।
ଫାଇନାଲ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଟକ୍କର ଦେବାକୁ ହେଲେ ଲୌରା ଉଲ୍ଭର୍ଟ, ତାମିନ ବ୍ରିଟ୍ସ, ଅଲ୍ରାଉଣ୍ଡର ମାରିଜାନେ କାପ୍ଙ୍କୁ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ପ୍ରଦର୍ଶନକୁ ଦୋହରାଇବାକୁ ପଡ଼ିବ। ସେମାନଙ୍କୁ ଅଷ୍ଟ୍ରେଲିଆ ବୋଲରଙ୍କଠୁ ରନ୍ ବାହାର କରିବାକୁ ପଡ଼ିବ । ପୁଣି ବୋଲିଂରେ ସବ୍ନିମ ଇସ୍ମାଇଲ, ଆୟାବୋଙ୍ଗା ଖାକା, ନାଦିନେ ଡି କ୍ଲେର୍କ ଏବଂ କାପ୍ଙ୍କୁ ପ୍ରଭାବୀ ସାବ୍ୟସ୍ତ ହୋଇ ଅଷ୍ଟ୍ରେଲୀୟ ବ୍ୟାଟରଙ୍କୁ ବାନ୍ଧି ରଖିବାକୁ ପଡ଼ିବ ।