ବରଗଡ଼(ଆମ ଟିଭି): ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବରଗଡ଼ ପାଲଟିବ ମଥୁରା ନଗରୀ, ଅମ୍ବାପାଲି ହେବ ଗୋପପୁର । ଜିରା ନଦୀ ପାଲଟିଯିବ ଯମୁନା, ଆଉ ବରଗଡ଼ ସହରବାସୀ ପାଲଟିଯିବେ ଜଣେ ଜଣେ କଳାକାର । ଗଣତନ୍ତ୍ରର ଶାସନ ଭିତରେ ୧୧ଦିନ ଧରି ଚାଲିବ ମହାରାଜ କଂସଙ୍କ ପ୍ରତିକାତ୍ମକ ରାଜତନ୍ତ୍ର । ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପୁରା ବରଗଡ଼ ସହର ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି । ୧୧ଦିନ ଧରି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଂଚରେ ଦ୍ୱାପର ଯୁଗର କୃଷ୍ଣ ଲୀଳାର ଝଲକ ଦେଖିବାକୁ ମିଳିବ, କାରଗାରରେ ଜନ୍ମଠାରୁ ନେଇ ଲୀଳାଖେଳା ଏବଂ କଂସ ବଦ୍ଧକୁ ନେଇ ୧୧ଦିନ ଧରି ଚାଲିବ ବିଭିନ୍ନ କାର୍ୟ୍ୟକ୍ରମ ।
ପ୍ରଥମ ଦିନରେ ଦେବକୀ-ବସୁଦେବ ବିବାହ , ଦୈବବାଣୀ, ଉଗ୍ରସେନକୁ ଗାଦିଚ୍ୟୁତ କରି ଆରମ୍ଭ ହେବ କଂସ ମହାରାଜାଙ୍କ ରାଜୁତି । ୧୧ଦିନ ଧରି ଚାଲିବାକୁ ଥିବା ଧନୁଯାତ୍ରାରେ ମେଳା ମହୋତ୍ସବ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଦେଖିବାକୁ ମିଳିବ । ସୁରୁଖୁରୁରେ ଧନୁଯାତ୍ରା ଅନୁଷ୍ଠିତ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।