ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: ଆଜି ହେବ କାଳୀୟ ଦଳନ
ବରଗଡ଼(ଆମ ଟିଭି): ଜାରି ରହିଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ବିଶ୍ୱର ସର୍ବ ବୃହତ ଖୋଲା ରଙ୍ଗମଞ୍ଚର ଚତୁର୍ଥ ଦିନରେ ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀ କୃଷ୍ଣ ବଳରାମଙ୍କ ହାତରେ ନିଧନ ହୋଇଥିବା ବେଳେ ଗୋପପୁରରେ ଦେଖାଦେଇଛି ଉତ୍ସବର ମାହୋଲ । ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ କୃଷ୍ଣ ବଳରାମଙ୍କୁ ପାଖରେ ପାଇଁ ଗୋପପୁର ବାସୀ ଉତ୍ସାହୀତ ହୋଇ ପଡିଛନ୍ତି ।
ଏପଟେ ମହାରାଜ କଂସ ସଡମଲ୍ଲଙ୍କ ସହ ପୁତନାର ନିଧନରେ ମର୍ମାହତ ହୋଇ କାଳୀୟ ନାଗକୁ ପଠାଇଛନ୍ତି ଗୋପପୁରକୁ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ । ଚତୁର୍ଥ ଦିନରେ ଗୋପପୁରର ଦୃଶ୍ୟ ଥିଲା ବେଶ ନିଆରା, ସତେ ଯେପରି ଦ୍ୱାପର ଯୁଗ ଭଳି ଲାଗୁଥିଲା । ଭଗବାନ ଶ୍ରୀକୃଷ୍ଣ ଓ ବଡ଼ଭାଇ ବଳରାମ ଚନ୍ଦ୍ରକଳା ପରି ନନ୍ଦ ଉଆସରେ ବଢ଼ିବାରେ ଲାଗିଥିବା ବେଳେ ଗୋପପୁରରେ ଭଗବାନଙ୍କ ନଗର ପରିକ୍ରମା ପାଇଁ ଆୟୋଜନ କରାଯାଇଥିଲା । ଏଥିପାଇଁ ସାରା ଗୋପପୁର ଉତ୍ସବ ମୁଖରିତ ହୋଇଥିବା ବେଳେ ଘରେ ଘରେ ଝୋଟି ପକା ଯାଇଛି , କୃଷ୍ଣ ବଳରାମଙ୍କ ପାଦଧୋଇ ଧୂପ ଦୀପ ନାଇବେଦ୍ୟ ଦେଇ ପୂଜାଅର୍ଚ୍ଚନା କରାଯାଇଛି ।