ଭୁବନେଶ୍ୱର (ଆମ ଟିଭି): ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି ଦିଆଯାଉ । ଏହାସହ ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ସହିତ ସେମାନଙ୍କର ଗ୍ରାମ ଗୁଡ଼ିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି ଯେ ୧୯୮୦ ଦଶକରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଳି ନଦୀବନ୍ଧ ଯୋଜନା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା । ଏହି ଯୋଜନା ଦ୍ୱାରା ଆମର ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କ୍ଷମତା ବହୁଗୁଣିତ ହୋଇପାରିଛି । ତେବେ ବିକାଶର ଏ ରୂପ ଆମକୁ ଅନେକ ବିଷାଦ ମଧ୍ୟ ଦେଇଛି । ବାସଚ୍ୟୁତ ଓ ବିସ୍ଥାପିତଙ୍କ ଦୁର୍ଦ୍ଦଶାର ପ୍ରାୟ ଚାରି ଦଶନ୍ଧିର ବିକଳ ଚିତ୍ର ଆଜି ବି ଆମକୁ ମର୍ମାହତ କରୁଛି । ୧୯୯୭ ମସିହାରେ ଗଠିତ ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ହିଁ ଏ ଦୂରବସ୍ଥାର ସାକ୍ଷୀ ।ରେଙ୍ଗାଳି ଯୋଜନାରେ ୧୯୭୮ ରୁ ୧୯୮୪ ମସିହା ମଧ୍ୟରେ ମୋଟ ୨୩୬ ଗୋଟି ରାଜସ୍ୱ ଗ୍ରାମର ପ୍ରାୟ ୧୩ ହଜାର କୁଟୁମ୍ବ ବାସହରା ହେଲେ । ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଅଭାବରୁ ଏଭଳି ହଜାର ହଜାର କୁଟୁମ୍ବ ହନ୍ତସନ୍ତ ହେଲେ ।