ପୁଣି ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସି ଜିନ୍‌ପିଙ୍ଗ୍‌

0

ବେଜିଙ୍ଗ୍‌: ଆଜି ଚୀନ୍‌ର ସଂସଦ ସର୍ବସମ୍ମତିକ୍ରମେ ସି ଜିନ୍‌ପିଙ୍ଗ୍‌ଙ୍କୁ ତୃତୀୟ ଥର ପାଇଁ ଦେଶର ରାଷ୍ଟ୍ରପତି ତଥା ଦେଶର ‘ସେଣ୍ଟ୍ରାଲ୍‌ ମିଲିଟାରି କମିସନ୍‌’ର ଅଧ୍ୟକ୍ଷ ଆସନ ଗ୍ରହଣ କରିବାକୁ ଭୋଟ୍ ଦେଇଛନ୍ତି।

ସେ ଆଗାମୀ ୫ ବର୍ଷ ପାଇଁ ଚୀନ୍‌ର ରାଷ୍ଟ୍ରପତି ହୋଇ ରହିବେ। ଏହାଛଡ଼ା, ୱାଙ୍ଗ୍‌ କିଶାନ୍‌ଙ୍କ ସ୍ଥାନରେ ବିଦାୟୀ କାର୍ଯ୍ୟନିର୍ବାହୀ ଉପ-ପ୍ରଧାନମନ୍ତ୍ରୀ ହାନ୍‌ ଝେଙ୍ଗ୍‌ଙ୍କୁ ସି ଜିନ୍‌ପିଙ୍ଗ୍‌ ଉପରାଷ୍ଟ୍ରପତି ଭାବେ ମନୋନୀତ କରିଛନ୍ତି। ତାଙ୍କ ମନୋନୟକୁ ମଧ୍ୟ ପ୍ରତିନିଧି ଦଳ ସମର୍ଥନ କରି ଭୋଟ୍‌ ଦେଇଛନ୍ତି।

ଏଥର ଚୀନ୍‌ର ରାଷ୍ଟ୍ରପତି ନିର୍ବାଚନରେ ସି ଏକାକୀ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଦେଶର ମୁଖ୍ୟ ଭାବେ ତାଙ୍କୁ ନିର୍ବାଚିତ କରିବାକୁ ଥିଲେ ୨,୯୫୨ଜଣ ପ୍ରତିନିଧି। ସମସ୍ତ ପ୍ରତିନିଧି ସି’ଙ୍କୁ ଭୋଟ୍ ଦେଇଛନ୍ତି। କେହି ଜଣେ ହେଲେ ବି ଭୋଟ୍‌ଦାନରୁ ନିବୃତ୍ତ ରହିନାହାନ୍ତି କି, ତାଙ୍କ ବିରୋଧରେ ଭୋଟ୍‌ ଦେଇ ନାହାନ୍ତି। ଫଳା‌ଫଳ ଘୋଷଣା କରାଯିବା ପରେ, ପ୍ରାୟ ଏକ ମିନିଟ୍‌ ପ‌ାଖାପାଖି କରତାଳି ଶୁଭିଥିବା ବେଳେ ସି’ ସମବେତ ପ୍ରତିନିଧିଙ୍କ ସମ୍ମୁଖରେ ମଥାନତ କରିଥିଲେ।

ଉଲ୍ଲେଖଯୋଗ୍ୟ, ଜଣେ ବ୍ୟକ୍ତି ସର୍ବାଧିକ ୨ ଥର ରାଷ୍ଟ୍ରପତି ହୋଇ ପାରିବ ବୋଲି ଚୀନ୍‌ ସମ୍ବିଧାନରେ ଯେଉଁ ନିୟମ ଥିଲା ‘ଦି ନ୍ୟାସ୍‌ନାଲ୍‌ ପିପୁଲସ୍‌ କଂଗ୍ରେସ୍‌’ ବା ସଂସଦ ୨୦୧୮ରେ ତାହାକୁ ରଦ୍ଦ କରିଥିଲା। ଫଳରେ ଚେୟାର୍‌ମ୍ୟାନ୍‌ ମାଓ ଜେଡୋଙ୍ଗ୍‌ଙ୍କ ପରେ ୬୯ ବର୍ଷିୟ ସି’ ଆଜି ଚୀନ୍‌ର ସବୁଠୁ ଶକ୍ତିଶାଳୀ ନେତା ହୋଇପାରିଛନ୍ତି।

Leave A Reply

Your email address will not be published.