ନୂଆଦିଲ୍ଲୀ (ଆମ ଟିଭି): ଜେଏନୟୁରେ ଧାରଣା ଦେଲେ ଏବେ ଦେବାକୁ ହେବ ଜରିମାନା । ବିଶ୍ବବିଦ୍ୟାଳୟ ପରିସରରେ ଧାରଣା ଦେଲେ ଶିକ୍ଷାର୍ଥୀମାନେ ୨୦,୦୦୦ ଟଙ୍କା ଜରିମାନା ଏବଂ ହିଂସାକାଣ୍ଡ ଭିଆଇଲେ ଆଡ୍ମିସନ୍ ରଦ୍ଦ ଅଥବା ୩୦,୦୦୦ ଟଙ୍କା ପର୍ୟ୍ୟନ୍ତ ଜରିମାନେ ଦେବେ ବୋଲି ସଦ୍ୟତମ ନିୟମାବଳିରେ ‘ଜବାହର୍ଲାଲ୍ ନେହେରୁ ବିଶ୍ବବିଦ୍ୟାଳୟ’ ଉଲ୍ଲେଖ କରିଛି। ୧୦ ପୃଷ୍ଠାସମ୍ବଳିତ ଏହି ‘ଜେଏନ୍ୟୁ ଶିକ୍ଷାର୍ଥୀମାନଙ୍କ ପାଇଁ ଶୃଙ୍ଖଳା ନିମୟ ଓ ଶିଷ୍ଟ ଆଚରଣ’ରେ ପ୍ରତିବାଦ ଏବଂ ଜାଲିଆତି ଭଳି ବିଭିନ୍ନ ପ୍ରକାରର କାର୍ୟ୍ୟ ପାଇଁ ବିଭିନ୍ନ ପ୍ରକାର ଦଣ୍ଡବିଧାନ କରାଯାଇଛି।
ଏହି ନିୟମାବଳି ଫେବ୍ରୁଆରି ୩ ତାରିଖରୁ କାର୍ୟ୍ୟକ୍ଷମ ହେବ। ‘ବିବିସି’ ଡକ୍ୟୁମେଣ୍ଟାରି ପ୍ରଦର୍ଶନ କଥାରେ ବିଶ୍ବବିଦ୍ୟାଳୟରେ କ୍ରମାଗତ ଗୁଡ଼ାଏ ପ୍ରତିବାଦ ପ୍ରଦର୍ଶନ କରାଯିବା ପରେ ଏହି ନୂତନ ନିମୟାବଳି ଲାଗୁ କରାଯାଉଛି। ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ କମିଟି ‘ଏକ୍ଜିକ୍ୟୁଟିଭ୍ କାଉନ୍ସିଲ୍’ ଏହି ନୂଆ ନିୟମଙ୍କୁ ଅନୁମୋଦନ କରିଥିବା ଜଣାପଡ଼ିଛି।