ମେଘନାଦ ପାଚେରୀ ଡେଇଁ କିଛି ଯୁବକ ମନ୍ଦିର ଭିତରେ ପଶିବା ଘଟଣା; ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

0

ପୁରୀ (ଆମ ଟିଭି):  ଶ୍ରୀମନ୍ଦିର ମେଘନାଦ ପାଚେରୀ ଡେଇଁ କିଛି ଯୁବକ ମନ୍ଦିର ଭିତରେ ପଶିବା ଘଟଣାରେ ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବାହାରେ ଓ ଭିତରେ ମାଳମାଳ ସୁରକ୍ଷାକର୍ମୀ ଜଗିଥିବା ବେଳେ ନିଳାଦ୍ରୀ ବିଜେ ଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମେଘନାଦ ପାଚେରୀ କଡ଼ରେ ପଡିଥିବା ମାଟି ସାହାଯ୍ୟରେ ଶ୍ରୀମନ୍ଦିରକୁ ୪ ଯୁବକ ପଶିଥିବା ଜଣାପଡିଛି । ଖବର ପ୍ରସାରଣ ପରେ ତଦନ୍ତ ପାଇଁ ଏକ କମିଟି ଗଠନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କମିଟିରେ ୪ ଜଣ ସଦସ୍ୟ ସାମିଲ। ତଦନ୍ତ ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅନ୍ୟପଟେ ମେଘନାଦ ପାଚେରି ଡେଇଁ ପ୍ରବେଶ ଘଟଣାରେ ଗୁରୁତର ଅଭିଯୋଗ ଆଣିଛନ୍ତି ସେବାୟତ ବିଶ୍ବନାଥ ଖୁଣ୍ଟିଆ । ସେ କହିଛନ୍ତି ୪ ଜଣ ନୁହେଁ, ଶତାଧିକ ଲୋକ ପ୍ରବେଶ କରିବା ମୁଁ ଦେଖିଛି । କାଲି ସନ୍ଧ୍ୟାରେ ଶତାଧିକ ଲୋକ ଏକ ଲୁହା ଗେଟ୍‌ ଚଢ଼ି ଭିତରକୁ ଯାଇଛନ୍ତି । ସେତେବେଳେ ବାଧା ଦେବାକୁ ଜଣେ ବି ପୋଲିସ କର୍ମଚାରୀ ନ ଥିଲେ । ଯଦି AI କ୍ୟାମେରା ଲାଗିଛି, ତାହେଲେ କଣ ଦେଖୁଛି।  ଏହାଦ୍ବାରା ଶ୍ରୀମନ୍ଦିର ସୁରକ୍ଷା ବିପନ୍ନ ହେଉଛି।

ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ପରେ ପୁରୀ ଏସ୍‌ପି ପିନାକ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ମେଘନାଦ ପାଚେରୀ କଡ଼ରେ ପଡିଥିବା ମାଟି ସାହାଯ୍ୟରେ ଶ୍ରୀମନ୍ଦିରକୁ ୪ ଯୁବକ ପଶିଥିଲେ । ମେଘନାଦ ପାଚେରୀ କଡ଼ରେ କିଏ ମାଟି ପକାଇଥିଲା ତଦନ୍ତ ହେବ । ତଦନ୍ତ ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.