ଜିରୋ କାଜୁଆଲିଟି ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ
ବାତ୍ୟା ମୋନ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ , ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଏସଆରସି ଦେଓ ରଞ୍ଜନ କୁମାର ସିଂ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବାତ୍ୟା ମନ୍ଥାର ମୁକାବିଲା ସମ୍ପର୍କରେ ସମୀକ୍ଷା କରି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ପ୍ରତ୍ୟେକ ବିପର୍ଯ୍ୟୟରେ ଆମର ଏକମାତ୍ର ଲକ୍ଷ୍ୟ ହେଉଛି ଜିରୋ କାଜୁଆଲ୍ଟି । ବାତ୍ୟା ଆନ୍ଧ୍ରପ୍ରଦେଶରେ ଅତିକ୍ରମ କରୁଥିଲେ ମଧ୍ୟ ବିଶେଷ କରି ଦକ୍ଷିଣ ଓଡିଶାରେ ବ୍ୟାପକ ବର୍ଷା ସହିତ ପବନ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ, କୌଣସି ବିପଦ ସଂକୁଳ ଅଞ୍ଚଳରେ ଯେପରି ଜଣେ ବି ଲୋକ ରହିଯିବ ନାହିଁ, ସମସ୍ତେ ବାତ୍ୟା-ବନ୍ୟା ଆଶ୍ରୟ ସ୍ଥଳ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନାନ୍ତରିତ ହେବେ, ତାକୁ ଅଧିକାରୀ ମାନେ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଗତବର୍ଷ ମଧ୍ୟ ବାତ୍ୟା ଦାନା ସମୟରେ ଆମେ ସଫଳ ଭାବରେ ଲୋକଙ୍କୁ ସ୍ଥାନାନ୍ତରିତ କରି ଜିରୋ କାଜୁଆଲ୍ଟି ହାସଲ କରିଥିଲୁ । ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତରଣ ହେଉଛି ଆମର ଏକ ପ୍ରମୁଖ ଷ୍ଟ୍ରାଟେଜି । ତେଣୁ, ଏହି ଦିଗ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିବାକୁ ସେ ପରାମର୍ଶ ଦେଇଥିଲେ।