ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୭ରେ ମତଦାନ ହେବ। ଦେଶର ସର୍ବ ପୁରାତନ ରାଜନୈତିକ ଦଳ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ନୂଆ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ମତଦାନକୁ ନେଇ ସଂଗଠନ ପକ୍ଷରୁ ପ୍ରସ୍ତୁତି ସରିଛି। ରାତିପାହିଲେ ମତଦାନ। ସାରା ଦେଶରେ ପାଖାପାଖି ୯୮୦୦ ଡେଲିଗେଟ୍ସ ଭୋଟରଙ୍କ ପାଇଁ ୪୦ଟି ପୁଲିଙ୍ଗ ଷ୍ଟେସନ ଏବଂ ୬୮ଟି ବୁଥ୍ କରାଯାଇଛି। କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୁଦନ ମିସ୍ତ୍ରୀ ତମାମ ନିର୍ବାଚନକୁ ନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି।
ମଧୁସୂଦନ ମିସ୍ତ୍ରୀ ବାର୍ତ୍ତାଳାପ ସମୟରେ କହିଛନ୍ତି ଯେ କଂଗ୍ରେସ ମୁଖ୍ୟାଳୟର ୨୪ ଆକବର ରୋଡରେ ବୁଥ ସ୍ଥାପନ କରାଯାଇଛି ଯେଉଁଥିରେ ପ୍ରାୟ ୫୦ ଜଣ ଭୋଟର ଭୋଟ୍ ଦେବେ। କଂଗ୍ରେସ ୱାର୍କିଂ କମିଟିର ସଦସ୍ୟମାନେ ୨୪ ଆକବର ରୋଡରେ ଅବସ୍ଥିତ ପାର୍ଟ ମୁଖ୍ୟାଳୟରେ ଭୋଟ୍ ଦେବେ। କଂଗ୍ରେସର ଅନ୍ତରିଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆସନ୍ତାକାଲି କଂଗ୍ରେସ ମୁଖ୍ୟାଳୟରେ ଭୋଟ୍ ଦେବେ।
ସେପଟେ ଭାରତ ଯୋଡ଼ ଯାତ୍ରାରେ ବ୍ୟସ୍ତ ରହିଥିବା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବେଲ୍ଲାରୀରେ ଭୋଟ ଦେବେ। ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତ ଯୋଡ଼ ଯାତ୍ରାରେ କର୍ଣ୍ଣାଟକରେ ପହଞ୍ଚିଛନ୍ତି। ବଲ୍ଲାରୀରେ ଭାରତଯୋଡ଼ ଯାତ୍ରା ଭିତରେ ବି ବୁଥ୍ କରାଯାଇଛି। ରାହୁଲ ସେଇଠାରେ ଭୋଟ ଦେବେ। ଏଠାରେ ପାଖାପାଖି ୫୦ରୁ ଅଧିକ ଡେଲିଗେଟସ ଭୋଟ ଦେବେ।