ନୂଆଦିଲ୍ଲୀ(ଆମ ଟିଭି): ମୁଣ୍ଡ ଉପରେ ୨୦୨୪ ନିର୍ବାଚନ। ସେଥିପାଇଁ ସବୁ ରାଜନୈତିକ ଦଳ ସେମାନଙ୍କ ପ୍ରସ୍ତୁତିରେ ଲାଗିଛନ୍ତି। ଏହାରି ଭିତରେ ଆଜିଠୁ ଆରମ୍ଭ ହେଉଛି ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ । ରାଜଧାନୀ ନୂଆଦିଲ୍ଲୀରେ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ, ୩୫ କେନ୍ଦ୍ର ମନ୍ତ୍ରୀ, ୧୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ୩୭ଟି ରାଜ୍ୟର ସଭାପତି ଅଂଶଗ୍ରହଣ କରିବେ। ଅପରାହ୍ଣ ୪ଟାରୁ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଉପସ୍ଥାପିତ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ହେବ। ଦଳର ସଭାପତି ଜେପି ନାଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ବୈଠକରେ ଯୋଗ ଦେବେ ।
ସେହିପରି ଓଡ଼ିଶାରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଏଥିରେ ସାମିଲ ହେବେ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବ । ବିଜେପି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବିଧାନସଭା ଓ ଲୋକସଭା ନିର୍ବାଚନ ଉପରେ ବିଶେଷ ଭାବେ ଆଲୋଚନା କରାଯିବ ।