ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଅସ୍ୱୀକାର କଲେ ଦୂତୀ
ଭୁବନେଶ୍ବର: ଦେଶର ଅନ୍ୟତମ ଶ୍ରେଷ୍ଠ ଦୌଡ଼ାଳି ଦୂତୀ ଚାନ୍ଦ ଡୋପଟେଷ୍ଟରେ ବିଫଳ ହେବା ନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କ୍ରୀଡ଼ା ପରିସରରେ ହଇଚଇ ସୃଷ୍ଟି ହୋଇଛି। ଜାତୀୟ ଗଣମାଧ୍ୟମ ପିଟିଆଇ ଏ ସଂପର୍କିତ ସୂଚନା ଟ୍ବିଟ୍ କରିଛି। ତେବେ ଏହାକୁ ଅସ୍ବୀକାର କରିଛନ୍ତି ଦୂତୀ।
ଡୋପ ଟେଷ୍ଟରେ ବିଫଳ ହେଲେ ଅଲିମ୍ପିଆନ ଦୂତୀ ଚାନ୍ଦ ! ଡୋପ ଟେଷ୍ଟରେ ଫଳାଫଳ ପଜିଟିଭ ଆସିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ପରୀକ୍ଷାର ଫଳକୁ ଦେଖି ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଏଭଳି ଲେଖାଥିବା ସୂଚନା ନିଉଜ୍ ଏଜେନ୍ସି ପିଟିଆଇ ଟ୍ବିଟ କରିବା ପରେ ଏବେ ଖବରକୁ ନେଇ ଚାରିଆଡେ ଚର୍ଚ୍ଚା। ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଖବର ପ୍ରକାଶ ପାଇବା ସହ ଦୂତୀଙ୍କୁ ନିଲମ୍ବିତ କରାଯାଇଥିବା କହାଯାଇଛି। ହେଲେ ଏହାକୁ ଅସ୍ବୀକାର କରିବା ସହ ଦୂତୀ ଚାନ୍ଦ ତାଙ୍କ ପାଖକୁ ଆଧିକାରୀକ ଭାବେ ଏପରି କୌଣସି ସୂଚନା ଆସିନାହିଁ ବୋଲି କହିଛନ୍ତି।