ଓଡ଼ିଶାରେ ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନି

0

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି। ଅପରାହ୍ନ ୨ଟାରୁ ସାଢେ଼ ଦୁଇଟା ମଧ୍ୟରେ ସେ ଭୁବନେଶ୍ଵର ବିମାନ ବିନ୍ଦରରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ଏହାପରେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସେ ଭୁବନେଶ୍ଵର ଆସି ମୁମ୍ବାଇ ଫେରିଯିବେ ବୋଲି ସୂଚନା ରହିଛି। ଏହି କାରଣରୁ ଭୁବନେଶ୍ଵର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ଗତକାଲି ଆସାମର ପ୍ରସିଦ୍ଧ ମା’ କାମାକ୍ଷାଙ୍କ ଦର୍ଶନ ସାରି ଆସୁଛନ୍ତି ଅନନ୍ତ। ନିର୍ବନ୍ଧ ପରେ ସେ ଓଡ଼ିଶା ଆସି ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବେ।

ସୂଚନାଯୋଗ୍ୟ,ଦେଶର ଦ୍ବିତୀୟ ବଡ଼ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଣ୍ଟ୍‌ଙ୍କ ନିର୍ବନ୍ଧ ମୁମ୍ବାଇରେ ସମ୍ପନ୍ନ ହୋଇଛି। ଉଭୟ ପରିବାରବର୍ଗଙ୍କ ଉପସ୍ଥିତିରେ ଗୁଜରାଟୀ ହିନ୍ଦୁ ପରିବାର ରୀତିନୀତି ଅନୁସାରେ ଗୋଲ୍‍-ଧନା ଏବଂ ଚୁନ୍‌ରୀ ବିଧି ଆୟୋଜିତ ହୋଇଥିଲା। ଗୋଲ୍‍-ଧନା ହେଉଛି ବିବାହ ପୂର୍ବ ନିର୍ବନ୍ଧ ଅନୁରୂପ ଏକ ଉତ୍ସବ। ଉଭୟ ବର ଓ କନ୍ୟା ପରସ୍ପରକୁ ମୁଦି ପିନ୍ଧା‌ଇଥିଲେ। ଦୁଇ ପରିବାର ପରସ୍ପରକୁ ଉପହାର ପ୍ରଦାନ କରିଥିଲେ। ଅନନ୍ତଙ୍କ ମା’ ନୀତା ଅମ୍ବାନିଙ୍କ ନେତୃତ୍ୱରେ ଅମ୍ବାନି ପରିବାରର ସଦସ୍ୟମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।

ଏହି ଅବସରରେ ମୁକେଶ ଅମ୍ବାନି, ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନି, ବଡ଼ ବୋହୂ ଶ୍ଳୋକା, ଝିଅ ଇଶା ଓ ଜ୍ବାଇଁ ଆନନ୍ଦ ପିରାମଳ ଏବଂ ରାଧିକାଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ। ଅନନ୍ତ ଆମେରିକାର ବ୍ରାଉନ ୟୁନିଭରସିଟିରେ ନିଜର ପାଠପଢା ଶେଷ କରିଛନ୍ତି ଓ ଜିଓ ପ୍ଲାଟଫର୍ମସ୍‌ ଓ ରିଲାଏନ୍ସ ରିଟେଲ୍‌ ବୋର୍ଡରେ ଅଛନ୍ତି। ଶୈଲା ଏବଂ ବୀରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ ଏବେ ଏନକୋର ହେଲ୍‍ଥକେୟାର ବୋର୍ଡରେ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.