ବଦଳିଲେ ହ୍ୱାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍, ସୁଜି ୱାଇଲସଙ୍କ ସ୍ଥାନରେ ଷ୍ଟିଫେନ୍ ମିଲରଙ୍କୁ ନୂଆ ନିଯୁକ୍ତି

0

ଆମେରିକା ରାଜନୀତିରେ ବଡ଼ ହଲଚଲ । ହ୍ୱାଇଟ୍ ହାଉସରେ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ । ବଦଳିରେ ହ୍ୱାଇଟ୍ ହାଉସର ଚିଫ ଅଫ ଷ୍ଟାଫ । ଷ୍ଟିଫେନ୍ ମିଲରଙ୍କୁ ହ୍ୱାଇଟ୍ ହାଉସ ନୂଆ ଚିଫ୍ ଅଫ୍ ଷ୍ଟାଫ୍ ଭାବେ ନିଯୁକ୍ତ । ଏହାପୂର୍ବରୁ ହ୍ୱାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ଥିଲେ ସୁସି ୱାଇଲ୍ସ । ତାଙ୍କ ସ୍ଥାନରେ ନିଜର ବିଶ୍ବସ୍ତ ସହଯୋଗୀ ଷ୍ଟିଫେନ୍ ମିଲରଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ଟ୍ରମ୍ପ । ୪୧ ବର୍ଷୀୟ ଷ୍ଟିଫେନ୍ ମିଲର ଆମେରିକାର ଜଣେ ପ୍ରଭାବଶାଳୀ ରାଜନୈତିକ ପରାମର୍ଶଦାତା । ୨୦୧୬ ମସିହାରୁ ସେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିଆସୁଛନ୍ତି ।

ଟ୍ରମ୍ପଙ୍କ ପ୍ରଥମ ଶାସନକାଳରେ ମଧ୍ୟ ମିଲର ନୀତି ନିର୍ଦ୍ଧାରଣ ଓ ରାଷ୍ଟ୍ରପତିଙ୍କ ଭାଷଣ ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଦ୍ୱିତୀୟ ଟ୍ରମ୍ପ ପ୍ରଶାସନରେ ସେ ହ୍ୱାଇଟ୍ ହାଉସର ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଫର୍ ପଲିସି ଭାବେ କାର୍ଯ୍ୟ କରୁଥିଲେ । ବିଶେଷକରି ବେଆଇନ ଅନୁପ୍ରବେଶ ରୋକିବା, ଆମେରିକା-ମେକ୍ସିକୋ ସୀମା ସୁରକ୍ଷା ଓ ବ୍ୟାପକ ପ୍ରତ୍ୟର୍ପଣ ନୀତି ପ୍ରସ୍ତୁତିରେ ସେ ଜଣେ ପ୍ରମୁଖ ନୀତିନିର୍ମାତା ଭାବେ ପରିଚିତ । ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଏହି ପରିବର୍ତ୍ତନ ହୋଇଛି । ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିକୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି ।

ଡେମୋକ୍ରାଟିକ୍ ପାର୍ଟି ଉଭୟ ପ୍ରତିନିଧି ସଭା ଏବଂ ସିନେଟର ସଂଖ୍ୟାଗରିଷ୍ଠତା ହାସଲ କରିଛି । ଏହି ପରିସ୍ଥିତିରେ ହ୍ୱାଇଟ୍ ହାଉସର ଶୀର୍ଷ ପଦରେ ପରିବର୍ତ୍ତନକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ୯ ତାରିଖରୁ ମିଲର ନୂଆ ଦାୟିତ୍ୱ ନେବେ । ଚିଫ୍ ଅଫ୍ ଷ୍ଟାଫ୍ ହେଉଛି ହ୍ୱାଇଟ୍ ହାଉସର ଅନ୍ୟତମ ଶକ୍ତିଶାଳୀ ପ୍ରଶାସନିକ ପଦ । ରାଷ୍ଟ୍ରପତିଙ୍କ କାର୍ଯ୍ୟସୂଚୀ ପରିଚାଳନା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ଶୀର୍ଷ ପରାମର୍ଶଦାତାଙ୍କ ସହ ଯୋଗାଯୋଗ ଏବଂ ସରକାରୀ ନୀତିକୁ କାର୍ଯ୍ୟକାରୀ କରିବାରେ ଏହି ପଦର ବିଶେଷ ଭୂମିକା ରହିଛି । ମିଲରଙ୍କ ନିଯୁକ୍ତି ପରେ ଟ୍ରମ୍ପ ପ୍ରଶାସନର କଠୋର ଇମିଗ୍ରେସନ୍ ନୀତି, ସୀମା ସୁରକ୍ଷା ଏବଂ ‘ଆମେରିକା ଫାର୍ଷ୍ଟ’ ନୀତିକୁ ଆହୁରି ପ୍ରାଥମିକତା ମିଳିପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରୁଛନ୍ତି ।

Leave A Reply

Your email address will not be published.