ହକି ବିଶ୍ଵକପ୍: ଆଜି ବେଲଜିୟମ ଓ ଜର୍ମାନୀ ମଧ୍ୟରେ ଫାଇନାଲ
ଭୁବନେଶ୍ବର : ଅଢ଼େଇ ସପ୍ତାହ ଧରି ଓଡ଼ିଶାରେ ଚାଲିଥିବା ହକି ମହୋତ୍ସବ ରବିବାର ଶେଷ ହୋଇଯିବ। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ସଂଧ୍ୟା ୭ଟାରେ ଖେଳାଯିବାକୁ ଥିବା ଫାଇନାଲ୍ରେ ଦୁଇ ୟୁରୋପୀୟ ଶକ୍ତି ବେଲଜିୟମ୍ ଏବଂ ଜର୍ମାନି ମଧ୍ୟରେ ଟ୍ରଫି ପାଇଁ ଲଢ଼େଇ ହେବ। ଏହି ମ୍ୟାଚ୍ ପୂର୍ବରୁ କାଂସ୍ୟ ପଦକ ପାଇଁ ଦୁଇ ପରାଜିତ ସେମିଫାଇନାଲିଷ୍ଟ ଦଳ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ମଧ୍ୟରେ ଅପରାହ୍ଣ ୪.୩୦ରେ ଲଢ଼େଇ ହେବ। ଭୁବନେଶ୍ବରରେ ବିଶ୍ବକପ୍ ଭାଗ୍ୟ ଉଦୟ କରିଥିବା ବେଲଜିୟମ୍ ଏଠାରେ ଦ୍ବିତୀୟ ଥର ଟ୍ରଫି ତୋଳି ଧରିବା ଲକ୍ଷ୍ୟରେ ଥିବା ବେଳେ ଜର୍ମାନିର ଉତ୍ଥାନ ଏହି ଦଳକୁ ଚିନ୍ତାରେ ପକାଇଛି।
୨୦୧୮ରେ ସେହି କଳିଙ୍ଗ ହକି କଂପ୍ଲେକ୍ସରେ ବେଲଜିୟମ୍ ଫାଇନାଲ୍ରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ପ୍ରଥମ ଥର ପାଇଁ ଟ୍ରଫି ହାସଲ କରିଥିଲା। ଏହା ପୂର୍ବରୁ ବେଲଜିୟମ୍ କେବେ ବି ସେମିଫାଇନାଲ୍ରେ ପହଞ୍ଚିନଥିଲା। ଭୁବନେଶ୍ବରର ବିଶ୍ବକପ୍ ବିଜୟ କେବେ ବି ଏକ ବ୍ୟତିକ୍ରମ ନଥିଲା ବୋଲି ବେଲଜିୟମ୍ ପ୍ରମାଣିତ କରିଥିଲା ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି। ଏବେ ବିଶ୍ବ ହକିରେ ଲଗାତାର ଟ୍ରଫି ଜିତିବାରେ ବେଲଜିୟମ୍ ଚତୁର୍ଥ ଦଳ ହେବାକୁ ଆଶା ରଖିଛି। ପୂର୍ବରୁ ପାକିସ୍ତାନ, ଅଷ୍ଟ୍ରେଲିଆ, ଜର୍ମାନି ଟାଇଟଲ୍ ଡିଫେଣ୍ଡ କରିବାରେ ସକ୍ଷମ ହୋଇଥିଲେ। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ବେଲଜିୟମ୍ ଦଳର ଅଧିକାଂଶ ଖେଳାଳି ଭୁବନେଶ୍ବରରେ ବିଶ୍ବକପ୍ ଖେଳୁଛନ୍ତି। ସେହିଭଳି ବେଲଜିୟମ୍ ଚଳିତ ବିଶ୍ବକପ୍ର ସବୁଠାରୁ ବୟସ୍କ ଦଳ ହୋଇଥିଲେ ମଧ୍ୟ ପ୍ରଦର୍ଶନରେ କିଛି କମ୍ ପ୍ରମାଣିତ କରିନାହିଁ। ଦଳର ୧୧ ଜଣ ଖେଳାଳି ୩୦ରୁ ଊର୍ଧ୍ବ ବୟସର ଏବଂ ୩ ଜଣ ୩୫ ବର୍ଷରୁ ଅଧିକ। ବେଲଜିୟମ୍ର ଏହି ସ୍ବର୍ଣ୍ଣିମ ଯୁଗର ହକିର ଖେଳାଳିମାନେ ହାତରେ ବିଶ୍ବକପ୍ ଓ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକର ସ୍ପର୍ଶ ପାଇ ସାରିଛନ୍ତି। ବେଲଜିୟମ୍ ଦଳ ମଧ୍ୟ ଅଲ୍ରାଉଣ୍ଡ୍ ପ୍ରଦର୍ଶନ କରି ଆଗକୁ ବଢ଼ିଛି।