ଭୁବନେଶ୍ୱର: ଧନତେରସରେ ଚମକିଲା ସୁନା ବଜାର । ଆକାଶଛୁଆଁ ଦର ସତ୍ତ୍ୱେ ଓଡ଼ିଶାର ଶୋ’ରୁମ୍ ଗୁଡ଼ିକରେ ରେକର୍ଡ ଭିଡ଼ । ସୁନାର ଆକାଶଛୁଆଁ ଦର ଓଡ଼ିଶାରେ ଗ୍ରାହକଙ୍କ ଧନତେରସର ଉତ୍ସାହକୁ ସାମାନ୍ୟ କମାଇ ପାରିନାହିଁ । ରାଜ୍ୟର ପ୍ରମୁଖ ବ୍ୟାବସାୟିକ ସହରଗୁଡ଼ିକରେ ଗ୍ରାହକଙ୍କ ଅପ୍ରତ୍ୟାଶିତ ଭିଡ଼ ଦେଖିବାକୁ ମିଳିଛି । ସମସ୍ତ ପ୍ରମୁଖ ଜୁଏଲାରୀ ପ୍ରତିଷ୍ଠାନରେ ଗ୍ରାହକଙ୍କ ପ୍ରବଳ ଭିଡ଼ ସହ ବ୍ୟବସାୟ ବେଶ୍ ଭଲ ରହିଛି । ପାରମ୍ପରିକ ବିଶ୍ୱାସ ଆଗରେ ସୁନାର ବର୍ଦ୍ଧିତ ମୂଲ୍ୟ କୌଣସି ବାଧା ସୃଷ୍ଟି କରିପାରିନାହିଁ ।
ବଜାର ଆକଳନ ଅନୁଯାୟୀ, କେବଳ ଭୁବନେଶ୍ୱର ଏବଂ କଟକ ରେ ମୋଟ ବିକ୍ରି ୧୦୦ କୋଟିର ମାଇଲଖୁଣ୍ଟ ଅତିକ୍ରମ କରିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୧୦ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ଦର୍ଶାଉଛି । ଭୁବନେଶ୍ୱରର ଜନପଥ, ସହୀଦ ନଗର, ଚନ୍ଦ୍ରଶେଖରପୁର ଓ ରସୁଲଗଡ଼ ଭଳି ପ୍ରମୁଖ ବ୍ୟାବସାୟିକ ଅଞ୍ଚଳରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମିଥିଲା । ସେହିପରି କଟକର ନୂଆସଡ଼କ, ଚୌଧୁରୀ ବଜାର ଓ ଜେଲ୍ ରୋଡ୍ ଆଦି ପ୍ରମୁଖ ବଜାରରେ ଶୁଭ ମୁହୂର୍ତ୍ତରେ କିଣାକିଣି କରିବା ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ସ୍ଥାନୀୟ ବ୍ରାଣ୍ଡ୍ ସହିତ ଜାତୀୟ ସ୍ତରର ପ୍ରତିଷ୍ଠିତ ଜୁଏଲାରୀ ଚେନ୍ ଗୁଡ଼ିକରେ ଦିନସାରା ଧୂମ୍ କାରବାର ଚାଲିଥିଲା । ଏହି ବ୍ୟାବସାୟିକ ଉତ୍ସାହ ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ସମାନ ଭାବେ ଦେଖିବାକୁ ମିଳିଥିଲା ।
ସମ୍ବଲପୁର ଏବଂ ରାଉରକେଲାର ବଡ଼ ବଡ଼ ଶୋ’ରୁମ୍ ଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଆଗ୍ରହ ପ୍ରକାଶ ପାଇଥିଲା । ଗ୍ରାହକଙ୍କ ଭିଡ଼କୁ ସମ୍ଭାଳିବା ପାଇଁ ଜୁଏଲାରୀ ସୋରୁମ ଅତିରିକ୍ତ କର୍ମଚାରୀ ନିୟୋଜିତ କରାଯିବା ସହ ମେକିଂ ଚାର୍ଜ ଉପରେ ଆକର୍ଷଣୀୟ ରିହାତି ଏବଂ ପ୍ରତିଯୋଗିତାମୂଳକ ଏକ୍ସଚେଞ୍ଜ ଅଫର୍ ପ୍ରଦାନ କରାଯାଇଥିଲା । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ଯୋଗୁଁ ଶୁକ୍ରବାର ଦିନ ଓଡ଼ିଶାରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ପ୍ରାୟ୧ ଲକ୍ଷ ୩୧ହଜାର ୫୦୦ ଟଙ୍କା ଥିଲା । ତେବେ ଲୋକେ ନିଜ ବଜେଟ୍ ଅନୁଯାୟୀ କିଣାକିଣିର ଶୈଳୀରେ କିଛିଟା ପରିବର୍ତ୍ତନ କରିଥିଲେ । ଗ୍ରାହକମାନେ ନିଜର ନିର୍ଦ୍ଧାରିତ ବଜେଟ୍ ମଧ୍ୟରେ ଅଧିକ ସୁନା ପାଇବା ପାଇଁ ଆଧୁନିକ, ସ୍ମାର୍ଟ ଏବଂ ହାଲୁକା ଓଜନର ନେକଲେସ୍, ଚେନ୍ ଏବଂ ମୁଦି କିଣିବାକୁ ଅଧିକ ପସନ୍ଦ କରିଥିଲେ ।
ଦୀର୍ଘକାଳୀନ ସୁରକ୍ଷିତ ନିବେଶ ପାଇଁ ଗ୍ରାହକମାନେ ଉଚ୍ଚ ଶୁଦ୍ଧତା ବିଶିଷ୍ଟ ସୁନା ଓ ରୁପା ମୁଦ୍ରା କିଣିବାକୁ ପ୍ରାଥମିକତା ଦେଇଥିଲେ । ଗହଣା ବ୍ୟତୀତ ରୂପା ସାମଗ୍ରୀ, ପୂଜା ବାସନ ଏବଂ ଘରକରଣା ଆସବାବପତ୍ର ଓ ରୋଷେଇ ସାମଗ୍ରୀର ମଧ୍ୟ ବେଶ୍ ଭଲ ବିକ୍ରି ହୋଇଥିଲା । ବ୍ୟବସାୟୀ ସଂଘର ପ୍ରତିନିଧିଙ୍କ କହିବା ଅନୁଯାୟୀ, ପର୍ବପର୍ବାଣୀ ଠିକ୍ ପୂର୍ବରୁ ଆନ୍ତର୍ଜାତୀୟ ମୂଲ୍ୟରେ ସାମାନ୍ୟ ସ୍ଥିରତା ଆସିବା ଯୋଗୁଁ ଗ୍ରାହକଙ୍କୁ ମାନସିକ ସ୍ତରରେ ବଡ଼ ଆଶ୍ୱସ୍ତି ମିଳିଥିଲା । ପୂର୍ବରୁ ହୋଇଥିବା ଆଡଭାନ୍ସ ବୁକିଂ ଏବଂ ଆଗକୁ ଆସୁଥିବା ବାହାଘର ଋତୁ ଯୋଗୁଁ ଚଳିତ ବର୍ଷ ରାଜ୍ୟର ସୁନା ବ୍ୟବସାୟ ଏକ ବଡ଼ ସଫଳତା ହାସଲ କରିଛି ।