ଫେବୃଆରୀ ୬ରେ ଦିଲ୍ଲୀ ମେୟର ନିର୍ବାଚନ

0

ନୂଆଦିଲ୍ଲୀ (ଆମ ଟିଭି): ବହୁ ବାଦ ବିବାଦ, ହୋହାଲ୍ଲା ପରେ ଶେଷରେ ହେବାକୁ ଯାଉଛି ଦିଲ୍ଲୀ ମେୟର ନିର୍ବାଚନ । ଆଜି ଦିଲ୍ଲୀ ନଗର ନିଗମର ମେୟର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ୬ ଫେବୃଆରୀରେ ଏମସିଡିର ମେୟର, ଡେପୁଟି ମେୟର ଏବଂ ୬ ଷ୍ଟାଣ୍ଡିଂ କମିଟିର ସଦସ୍ୟଙ୍କ ନିର୍ବାଚନ ହେବ । ଦିଲ୍ଲୀର ଏଲଜି ବିନୟ ସକ୍ସେନା ମେୟର ନିର୍ବାଚନର ନୂଆ ତାରିଖକୁ ମଞ୍ଜୁରୀ ଦେଇଛନ୍ତି । ଏହା ପୂର୍ବରୁ ଦିଲ୍ଲୀର ଅରବିନ୍ଦ କେଜରିୱାଲ ସରକାର ଏଲଜି ବିନୟ ସକ୍ସେନାଙ୍କୁ ମେୟର ନିର୍ବାଚନର ନୂଆ ତାରିଖ ପ୍ରସ୍ତାବ ପଠାଇଥିଲେ ।

ଦିଲ୍ଲୀ ସରକାର ୩,୪ ବା ୬ ଫେବୃଆରୀରେ ମେୟର ନିର୍ବାଚନ କରାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଅବଶ୍ୟ, ଏମସିଡି ଦିଲ୍ଲୀ ସରକାରଙ୍କୁ ୧୦ ଫେବୃଆରୀରେ ନିର୍ବାଚନ କରାଇବା ନେଇ ପ୍ରସ୍ତାବ ଦେଇଥିଲା । ଏହାପରେ ଏବେ ଏଲଜି ଏମସିଡି ନିର୍ବାଚନ ତାରିଖ ୬ ଫେବୃଆରୀକୁ ନିର୍ଦ୍ଧାରିତ କରିଛନ୍ତି । ସୂଚନାଥାଉକି, ଦିଲ୍ଲୀ ନଗର ନିଗମର ନବନିର୍ବାଚିତ ଗୃହର ପ୍ରଥମ ବୈଠକ ୬ ଜାନୁଆରୀରେ ହୋଇଥିଲା ।

ଏହି ଅବସରରେ ଆମ ଆଦମି ପାର୍ଟି ଏବଂ ବିଜେପି ପାରିଷଦଙ୍କ ମଧ୍ୟରେ ଗଣ୍ଡଗୋଳ କାରଣରୁ ମେୟର, ଡେପୁଟି ମେୟର ଏବଂ ଛଅ ସ୍ଥାୟୀ ସମିତିର ସଦସ୍ୟଙ୍କ ନିର୍ବାଚନ ହୋଇ ପାରିନଥିଲା ଏବଂ ଗୃହର କାର୍ୟ୍ୟ ସ୍ଥଗିତ ରଖାଯାଇଥିଲା । ଏହାପରେ ୨୪ ଜାନୁଆରୀରେ ପୁଣିଥରେ ବୈଠକ ହୋଇଥିଲା ଏବଂ ହଙ୍ଗାମା କାରଣରୁ ପୁଣି ଗୋଟେଥର ମେୟର ନିର୍ବାଚନ ହୋଇପାରି ନଥିଲା । ମେୟର ନିର୍ବାଚନରେ ୨୫୦ ପାରିଷଦଙ୍କ ବ୍ୟତୀତ ଦିଲ୍ଲୀର ୧୪ ବିଧାୟକ ଏବଂ ୧୦ ସାଂସଦ ଭୋଟ ଦେବେ ।

Leave A Reply

Your email address will not be published.