ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

0

ଭୁବନେଶ୍ବର: ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ (ଏମ୍‌ଏମ୍‌ଡିଆର) ସଂଶୋଧନ ଆଇନକୁ ନେଇ ଓଡ଼ିଶା ରାଜନୀତି ସରଗରମ। ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରବିବାର ପୁଣି ଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ବିଜୁ ଜନତା ଦଳ ସଦାସର୍ବଦା ଓଡ଼ିଶାର ସ୍ୱାର୍ଥ, ରାଜ୍ୟର ଅଧିକାର ଏବଂ ଯୁବ ସମାଜର ଭବିଷ୍ୟତ ସହ ରହିଛି ବୋଲି ସେ ଏହି ଚିଠିରେ ଦୋହରାଇଛନ୍ତି।

ସଂସଦରେ ଗୃହିତ ହୋଇଥିବା ଏହି ସଂଶୋଧିତ ଆଇନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବା ପାଇଁ ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ କରାଯାଉ। ଏଥିପାଇଁ ସବୁ ରାଜନୈତିକ ଦଳ ଏକାଠି ହୋଇ କାର୍ଯ୍ୟ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।

ନବୀନ ଉଲ୍ଲେଖ କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଓଡ଼ିଶା ପାଇଁ ଏକ ବିରାଟ ସମ୍ଭାବନା ସୃଷ୍ଟି ହୋଇଥିଲା। କୋଟି କୋଟି ଟଙ୍କାର ବକେୟା ଆଦାୟ ସହ ବାର୍ଷିକ ପ୍ରାୟ ୧୨ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା, ଯାହା ରାଜ୍ୟର ବିକାଶ ଓ ଯୁବବର୍ଗଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରିଥାନ୍ତା। କେନ୍ଦ୍ର ସରକାରଙ୍କ ଦ୍ୱାରା ଏମ୍‌ଏମ୍‌ଡିଆର ଆକ୍ଟରେ ସଂଶୋଧନ ଫଳରେ ଓଡ଼ିଶା ବିପୁଳ ଆର୍ଥିକ କ୍ଷତି ସହିବାକୁ ଯାଉଛି ଏବଂ ରାଜ୍ୟର ସାମ୍ବିଧାନିକ ଅଧିକାର ହାନି ହୋଇଛି। ଏଣୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିଧାନସଭାରେ ଏହି ସଂଶୋଧନ ବିରୋଧରେ ପ୍ରସ୍ତାବ ଆଣି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି ଜୋରଦାର କରିବାକୁ ନବୀନ ଗୁରୁତ୍ୱାରୋପ କରିଛନ୍ତି।

Leave A Reply

Your email address will not be published.