ପୁଣି ନିଯୁକ୍ତି ପାଇଲେ ସୁପ୍ରିମକୋର୍ଟରେ ଦୁଇ ନୂଆ ବିଚାର ପତି

0

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ୨ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଏ ସଂପର୍କରେ ଏକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ୍‌ ମନ୍ତ୍ରୀ କିରେନ୍‌ ରିଜିଜୁ। ସେ ତାଙ୍କ ଟ୍ବିଟ୍‌ ପୋ‌ଷ୍ଟ୍‌ରେ ଲେଖିଛନ୍ତି, ‘ଦେଶରେ ରହିଥିବା ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ମାନ୍ୟବର ରାଷ୍ଟ୍ରପତି ହାଇକୋର୍ଟର ‌ଏହି ମୁଖ୍ୟ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ସେମାନଙ୍କୁ ମୋର ଶୁଭେଚ୍ଛା।’ ଯେଉଁ ଦୁଇ ହାଇକୋର୍ଟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ସେମାନେ ହେଉଛି ଆଲ୍ଲାବାଦ୍‌ ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍ ରାଜେଶ ବିନ୍ଦଲ ଏବଂ ଗୁଜୁରାଟ ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର।

ସୁପ୍ରିମକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୩୪ ହୋଇଥିବା ବେଳେ ୨ଟି ପଦ ଖାଲି ପଡ଼ିଥିଲା। ଏବେ ଏହି ନବନିଯୁକ୍ତ ଦୁଇ ବିଚାରପତି ଶପଥ ଗ୍ରହଣ କରିବା ପରେ ସେହି ପଦ ପୂରଣ ହୋଇଯିବ। ଗତ ମାସରେ ସୁପ୍ରିମକୋର୍ଟ କଲିଜିୟମ୍ ଦ୍ବାରା ସେମାନଙ୍କ ନାମ ସୁପାରିସ କରାଯାଇଥିଲା। ଗତ ସପ୍ତାହରେ ସୁପ୍ରିମକୋର୍ଟରେ ୫ ଜଣ ବିଚାରପତି ନିଯୁକ୍ତି ପାଇଥିଲେ।

Leave A Reply

Your email address will not be published.