ଉତ୍ତରାଖଣ୍ଡ : ଭାରତ ସମେତ ବିଶ୍ବର ବିଭିନ୍ନ ଦେଶରେ ଭୂକମ୍ପ ଘଟଣାରେ ବଢିବାରେ ଲାଗିଛି । ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ ଗତ କିଛି ଦିନ ହେଲା ଭୂକମ୍ପର ଝଟକା ଅନୁଭୂତ ହେଉଛି । ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏଥିରେ ସର୍ବାଧିକ ତୀବ୍ରତା ୪.୧ ରେକ୍ଟର ସ୍କେଲ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଖବର ମୁତାବକ, ନଭେମ୍ବର ୧୮ ତାରିଖ ବୁଧବାର ସକାଳ ୧୦ଟା ୨୧ ମିନିଟରେ ଚମୋଲି ଜିଲ୍ଲାରେ ପ୍ରଥମ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରେକ୍ଟର ସ୍କେଲରେ ୪.୧ ରହିଥିବା ବେଳେ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ରହିଥିଲା ।
ସେହିପରି ସକାଳ ୧୦ଟା ୫୨ ମିନିଟରେ ଦ୍ୱିତୀୟ ଥର ପାଇଁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୨.୮ ରେକର୍ଡ କରାଯାଇଥିବା ବେଳେ ଭୂପୃଷ୍ଠରୁ ୫ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ଥିଲା । ଅଳ୍ପ ସମୟ ବ୍ୟବଧାନରେ ଦୁଇଥର ଭୂକମ୍ପ ହେବା ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ତେବେ ଏହି ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇଥିବା ସୂଚନା ନାହିଁ ।