କଟକ(ଆମ ଟିଭି): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ଦିନରେ କଟକର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ଉଦବୋଧନ ଦେଇ କହିଛନ୍ତି, ଭାରତକୁ ଖାଦ୍ୟ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଛି ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ । ଭାରତୀୟ ଖାଦ୍ୟ ନିରାପତ୍ତା ଓ ଜୀବିକା କ୍ଷେତ୍ରରେ ଏନଆରଆରଆଇର ଗବେଷକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକଠାରେ ଆୟୋଜିତ ଏନଆରଆରଆଇ କଂଗ୍ରେସରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି- ଭାରତର ଅର୍ଥନୀତିରେ ଧାନ ସର୍ବଦା ପ୍ରମୁଖ ଭୂମିକା ନେଇଛି । ଆମ ଐତିହ୍ୟ ଓ ସଂସ୍କୃତିରେ ବି ପ୍ରତିଫଳିତ ହୋଇଆସିଛି ଧାନ । ବେଦ ସମେତ ଅନ୍ୟାନ୍ୟ ଧର୍ମଶାସ୍ତ୍ରରେ ଧାନ ବିଷୟରେ ଉଲ୍ଲେଖ ରହିଛି । ସମୃଦ୍ଧିର ପ୍ରତୀକ ହେଉଛି ଧାନ । ସର୍ବବୃହତ ଶସ୍ୟ ରପ୍ତାନୀକାରୀ ରାଷ୍ଟ୍ର ଭାବେ ଭାରତ ପରିଗଣିତ ହୋଇଛି ଏବଂ ବିଶ୍ବର ବିଭିନ୍ନ ଦେଶକୁ ଶସ୍ୟ ରପ୍ତାନୀ କରିଆସୁଛି ।
ବଙ୍ଗଳାଦେଶ ଦୁର୍ଭିକ୍ଷ ପରେ ପରେ ୧୯୪୬ରେ ପ୍ରତିଷ୍ଠିତ ହୋଇଥିଲା ଏନଆରଆରଆଇ । ସେବେଠାରୁ ଖାଦ୍ୟ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ଲାଗି ଭାରତ ଚେଷ୍ଟିତ ହୋଇଛି । ଚାଷୀଙ୍କ ଜୀବନଜୀବିକା ଲାଗି ପ୍ରମୁଖ ଅବଦାନ ଦେଇଛି ଏନଆରଆରଆଇ । ଜୈବ ବିବିଧତା ଲାଗି ଭାରତ ଖ୍ୟାତି ଅର୍ଜନ କରିଛି । ଭାରତର ପ୍ରତିଟି ଅଞ୍ଚଳରେ ଭିନ୍ନ ଭିନ୍ନ ସ୍ୱାଦର ଧାନ ଚାଷ ହୋଇଥାଏ । ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଏବେ ଜଳାଭାବ ସମସ୍ୟା ଦେଖାଦେଇଛି । ଜଳବାୟୁ ସମସ୍ୟାରୁ ବନ୍ୟା, ବାତ୍ୟା, ମରୁଡି ଏବେ ଚିର ସହଚର ସାଜିଛି । ଫଳରେ ଧାନ ଚାଷ କଷ୍ଟସାଧ୍ୟ ହେଲାଣି ।