କେନ୍ଦ୍ର ଉପରେ ବର୍ଷିଲେ ବିଜେଡି

0

ଭୁବନେଶ୍ୱର:ଚାଷୀର ଆୟ ଦୁଇ ଗୁଣ କରିବାକୁ ଆହ୍ୱାନ ଦେଉଥିବା ବିଜେପି ସରକାର ପ୍ରକୃତରେ ଚାଷୀ ମାରଣ ନୀତି ଅବଲମ୍ବନ କରୁଛି। କେନ୍ଦ୍ର ସରକାର ହିତାଧିକାରୀଙ୍କ ମୁଣ୍ଡ ପିଛା ୫ କିଲୋ ମାଗଣା ଚାଉଳ କାଟି ଦେଇଥିବା ବେଳେ ଧାନ କ୍ରୟ କ୍ଷେତ୍ରରେ ବଜେଟରେ ୨୦ ହଜାର କୋଟି କମ୍ ବ୍ୟୟବରାଦ କରିଛନ୍ତି। ଏହା ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ପୂର୍ବରୁ ଯେଉଁ ପରିମାଣର ଧାନ ଉଠାଉଥିଲ, ଏବେ ବି ସେହି ପରିମାଣର ଧାନ ଉଠାଅ, ନଚେତ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ବିଜେଡି ।

ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ଯାଇଥିବା ନେଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଜେପି ବିକ୍ଷୋଭ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଫଳରେ ରାଜଧାନୀର ରାଜରାସ୍ତାରେ ଉଭୟ ବିଜେପି-ବିଜେଡିର ହଲ୍ଲାବୋଲ ଦେଖିବାକୁ ମିଳିଛି । ଆଜିଠୁ ତିନି ଦିନ ଯାଏଁ ଉଭୟ ଦଳର ଧାରଣା ଚାଲୁ ରହିବ।

ବିଜେଡିର ତୁଙ୍ଗ ନେତାଙ୍କ ସମେତ ଶତାଧିକ କର୍ମୀ ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ଦଳ କେନ୍ଦ୍ର ବିରୋଧରେ ଗର୍ଜିଛନ୍ତି। ଏହାପରେ ବିଜେଡିର ସାଙ୍ଗଠନିକ ସମ୍ପାଦକ, ବିଧାୟକଙ୍କ ଏକ ଟିମ୍‌ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଆଜି ରାଜଭବନ ଆଗରେ ଧାରଣା ପରେ ଆସନ୍ତାକାଲି ପଞ୍ଚାୟତ ଅଫିସ୍ ଓ ୧୬ରେ ବ୍ଲକ ଓ ଜିଲ୍ଲାପାଳ ଅଫିସ୍ ଆଗରେ ବିକ୍ଷୋଭ କରିବ ଦଳା ୧୫ ଦିନରେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏଥର ରାଜ୍ୟରୁ ଚାଉଳ ସଂଗ୍ରହ କମ୍‌ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛି ରାଜ୍ୟ । ପୂର୍ବରୁ କେନ୍ଦ୍ର ୧୮ ଲକ୍ଷ ଟନ୍‌ ଚାଉଳ ସଂଗ୍ରହ କରୁଥିବା ବେଳେ ଏବେ ୪ ଲକ୍ଷ ଟନ୍‌ ସଂଗ୍ରହ କରିବ । ଧାନ ଉଠାଣ ପାଇଁ କେନ୍ଦ୍ର ୨୦ ହଜାର କୋଟି ଟଙ୍କା କମ୍‌ ବ୍ୟୟବରାଦ କରିଛନ୍ତି। କଟନୀ ଛଟନୀ ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେଉଛି ବୋଲି ଅଭିଯୋଗ କରିଛି କେନ୍ଦ୍ର ।

ଏନେଇ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ଚାଷୀ ସମସ୍ୟାକୁ ନେଇ ଆମେ ନିୟମିତ ଭାବେ ରାଜରାସ୍ତାକୁ ଓହ୍ଲାଉଛୁ। ଓଡ଼ିଶାର ଚାଷୀ କୂଳର ଦାବି ହାସଲ ନ ହେବା ପର୍ଯ୍ୟନ୍ତ ବିଜେଡି ନିଜ ଲଢ଼େଇ ଜାରି ରଖିବ ।

Leave A Reply

Your email address will not be published.