୬ ଲେନ୍ ହେବ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ
ପୁରୀ : ରାଜଧାନୀ ଭୁବନେଶ୍ୱରରୁ ଶ୍ରୀଜଗନ୍ନାଥ ଧାମ ପୁରୀରେ ପହଞ୍ଚିବାକୁ ଲାଗିବ ମାତ୍ର ୪୫ ମିନିଟ୍। ଏକ୍ସପ୍ରେସ ୱେ ହେବ ୬୭ କିମି ୩୧୬ ଜାତୀୟ ରାଜପଥ। ପୁରୀ – ଭୁବନେଶ୍ୱର ଜାତୀୟ ରାଜପଥ ୬ ଲେନ କରାଯିବ। ଏବେ ରହିଥିବା ରାସ୍ତା ଦୁଇପାର୍ଶ୍ବରେ ସର୍ଭିସ ରୋଡ ନିର୍ମାଣ କରାଯିବ। ଏଥିପାଇଁ ଖୁବଶୀଘ୍ର ଆରମ୍ଭ ହେବ ଜମି ଅଧିଗ୍ରହଣ ପ୍ରକ୍ରିୟା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏକ ବୈଷୟିକ ସଂସ୍ଥା ମାଧ୍ୟମରେ ବିସ୍ତୃତ ବିକାଶ ଯୋଜନା ପ୍ରସ୍ତୁତ କରାଯାଇଛି। ତିନୋଟି ସ୍ଥାନରେ ମାଟି ପରୀକ୍ଷା କରାଯାଉଛି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ଭୂତଳ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି। ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଏହି କାର୍ଯ୍ୟ କରାଯିବ। ରାଜପଥର ବିଭିନ୍ନ ସ୍ଥାନରେ ଶୌଚାଳୟ, ଅସ୍ଥାୟୀ ବିଶ୍ରାମ ସ୍ଥଳ, ଭୂତଳ ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ପୁରୀକୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ପୁରୀ – ଭୁବନେଶ୍ୱର – ଜଗତସିଂହପୁରକୁ ନେଇ ଏକ ଅର୍ଥନୈତିକ କରିଡର୍ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ କ୍ରୁଜ୍ ଟ୍ରମିନାଲ ନିର୍ମାଣ ପ୍ରସ୍ତାବ ରହିଛି। ଗତ ରଥଯାତ୍ରାରେ ପ୍ରାୟ ୫୦ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସିଥିଲେ। ଲୋକଙ୍କୁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ତେଣୁ ରାଜ୍ୟର ଏହି ପ୍ରମୁଖ ଜାତୀୟ ରାଜପଥକୁ ୬ ଲେନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ଥିର କରିଛନ୍ତି। ତେଣୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀ, ସତ୍ୟବାଦୀ, ପିପିଲି ତହସିଲ ଅଞ୍ଚଳରେ ଥିବା ସରକାରୀ, ଘରୋଇ ଓ ଦେବୋତ୍ତର ଜମି ଚିହ୍ନଟ କରାଯିବ। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି।
ସୂଚନା ଅନୁଯାୟୀ ଭୁବନେଶ୍ୱରର ଲିଙ୍ଗିପୁର ଠାରୁ ପୁରୀ ପର୍ଯ୍ୟନ୍ତ ଜାତୀୟ ରାଜପଥ ୩୧୬କୁ ୬ ଲେନ କରାଯିବ। ସେଥିରେ ତିନୋଟି ବାଇପାସ୍ ରାସ୍ତା ରହିଛି। ତେବେ ୨୦୧୫ ନବକଳେବର ପୂର୍ବରୁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ସଂପ୍ରସାରଣ ଓ ଉନ୍ନତିକରଣ ପାଇଁ ଅଧିଗୃହୀତ ଜମି ଏଥିରେ ବେଶ୍ ସହାୟକ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ପରବର୍ତ୍ତୀ ସମୟରେ ଏହି ରାସ୍ତା ପୁରୀ ବିମାନବନ୍ଦରକୁ ସଂଯୋଗ କରିବା ସମ୍ଭାବନା ରହିଛି। ଏହାଛଡ଼ା କେତେକ ସ୍ଥାନରେ ଏହି ଜାତୀୟ ରାଜପଥକୁ ୮ ଲେନ ବିଶିଷ୍ଟ କରାଯିବ। ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଦୁଇପାର୍ଶ୍ବରେ ଜବରଦଖଲ ବୃଦ୍ଧି ଯୋଗୁଁ କିଛିଦିନ ତଳେ ଅନୁଷ୍ଠିତ ସଡ଼କ ସୁରକ୍ଷା କମିଟି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଜମି ଅଧିଗ୍ରହଣ ପ୍ରକ୍ରିୟା ସମୟରେ ଜବରଦଖଲ ଉଚ୍ଛେଦ କରାଯିବ। ଏଥିପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ପ୍ରକୋଷ୍ଠ ଖୋଲାଯିବ। ପୁରୀ ଭୁବନେଶ୍ୱର ଜାତୀୟ ରାଜପଥକୁ ୬ ଲେନ କରାଗଲେ ଦୁଇ ମହାନଗର ନିଗମ ମଧ୍ୟରେ ସଡ଼କ ପଥରେ ଯୋଗାଯୋଗ ଅଧିକ ସୁଗମ ହୋଇପାରିବ। ପୁରୀ ପୌର ବସଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ବାଟମଙ୍ଗଳା ଓ ସମଙ୍ଗ ନିକଟରେ ଆବଶ୍ୟକ ଜମି ଖୋଜା ଚାଲିଛି। ୬ ଲେନ ଜାତୀୟ ରାଜପଥ ନିକଟରେ ନୂଆ ବସ୍ ଷ୍ଟାଣ୍ଡ ନିର୍ମାଣ ପ୍ରସ୍ତାବ ରହିଛି।