ଅସାଦୁଦ୍ଦିନ ଓୱେସୀଙ୍କ ଘରକୁ ପଥର ମାଡ଼

0

ନୂଆଦିଲ୍ଲୀ : ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ଘରକୁ ପଥର ମାଡ଼। ଦିଲ୍ଲୀରେ ଥିବା ଓୱେସୀଙ୍କ ବାସଭବନକୁ କିଛି ଅଜଣା ଦୁର୍ବୃତ୍ତ ଆସିବା ସହ ପଥର ମାଡ଼ କରିଛନ୍ତି। ଏଥିରେ ତାଙ୍କ ଘର ଝରକା କ୍ଷତିଗ୍ରସ୍ତ ହୋଇଛି। ଘଟଣା ପରେ ଓୱେସୀ ପୁଲିସ୍‌ର ଦ୍ୱାରସ୍ଥ ହେବା ସହ ବିଧିବଦ୍ଧ ଭାବେ ଅଭିଯୋଗ କରିଛନ୍ତି। କିଛି ଅଜଣା ଦୁର୍ବୃତ୍ତ ରବିବାର ରାତିରେ ତାଙ୍କ ଘର ଉପରକୁ ପଥର ମାଡ଼ କରିଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ଅଶୋକ ରୋଡ ଅଞ୍ଚଳରେ ଥିବା ଓୱେସୀଙ୍କ ଦିଲ୍ଲୀ ବାସଭବନରେ ଏପରି ଘଟଣା ଘଟିଛି। ଘଟଣା ପରେ ଜଣେ ଆଡିସିନାଲ ଡିସିପିଙ୍କ ନେତୃତ୍ୱରେ ଦିଲ୍ଲୀ ପୁଲିସର ଗୋଟିଏ ଟିମ ଓୱେସୀଙ୍କ ବାସଭବନରେ ପହଞ୍ଚି ପ୍ରମାଣ ଯୋଗାଡ଼ କରିଛି। ପାର୍ଲାମେଣ୍ଟ ଷ୍ଟ୍ରିଟ ପୁଲିସ୍‌ ଷ୍ଟେସନରେ ଓୱେସୀ ଅଭିଯୋଗରେ କହିଛନ୍ତି ଯେ “ମୁଁ ରାତି ପ୍ରାୟ ୧୧.୩୦ରେ ମୋ ଘରେ ପହଞ୍ଚିଥିଲି। ଘରେ ପହଞ୍ଚିଲା ବେଳକୁ ମୋ ଘରର ଝରକା କାଚ ଭାଙ୍ଗି ଯାଇଥିବା ଦେଖିବାକୁ ପାଇଥିଲି। ଏଥିସହ ଏହାର ଆଖପାଖ ଅଞ୍ଚଳରେ ପଥର ଓ ଟେକା ପଡ଼ି ରହିଥିଲା।

କିଛି ଅଜଣା ଦୁର୍ବୃତ୍ତ ଘରକୁ ଆସିବା ସହ ଏପରି କରିଥିବା ମୋ ଘରେ କାମ କରୁଥିବା ଲୋକମାନେ କହିଛନ୍ତି। ଏପରି ଆକ୍ରମଣ ମୋ ସହ ୪ର୍ଥ ଥର ପାଇଁ ଘଟିଛି। ମୋ ଘର ଚାରିପାଖରେ ଅନେକ ସିସିଟିଭି କ୍ୟାମେରା ଲାଗିଛି। ଏହାକୁ ମଧ୍ୟ ଚାହିଁଲେ ସମସ୍ତେ ଦେଖିପାରିବେ। ତେଣୁ ଦୋଷୀମାନଙ୍କୁ ତୁରନ୍ତ ଧରାଯିବା ଦରକାର। ଉକ୍ତ ଅଞ୍ଚଳଟି ଉଚ୍ଚ ସୁରକ୍ଷା ଜୋନରେ ଆସୁଥିଲେ ମଧ୍ୟ ଏପରି ଭଙ୍ଗାରୁଜା ଘଟଣା ବାରମ୍ବାର ଘଟିବା ଆଶ୍ଚର୍ଯ୍ୟର ବିଷୟ।”

Leave A Reply

Your email address will not be published.