ମୋଦିଙ୍କ ଉପସ୍ଥିତିରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ନେଇଫିଉ ରିଓ ଶପଥ ଗ୍ରହଣ କଲେ

0

ନୂଆଦିଲ୍ଲୀ : ନାଗାଲାଣ୍ଡ ରାଜନୀତିର ବରିଷ୍ଠ ନେତା ତଥା ଏନଡିପିପିର ମୁଖ୍ୟ ନେଇଫିଉ ରିଓ ଆଜି ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜେପି ଓ ଏନଡିପିପି ମିଳିତ ଭାବେ ନାଗାଲାଣ୍ଡରେ କ୍ଷମତା ଦଖଲ କରିଥିବାରୁ ରିଓଙ୍କ ଶପଥପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ନାଗାଲାଣ୍ଡ ରାଜ୍ୟପାଲ ଲା ଗଣେଶନ ଆଜି କୋହିମାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରିଓଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ରିଓଙ୍କ ଡେପୁଟି ବା ନାଗାଲାଣ୍ଡର ଉପ ମୁଖ୍ୟମନ୍ତ୍ରୀ ଭାବେ ଦୁଇ ଜଣ ଶପଥ ନେଇଛନ୍ତି। ଟିଆର ଜେଲିଆଙ୍ଗ ଓ ୟାନଥୁଙ୍ଗୋ ପାଟ୍ଟୋନ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହାବାଦ ନାଗାଲାଣ୍ଡ କ୍ୟାବିନେଟରେ ସାମିଲ ହେବାକୁ ଥିବା ୯ ଜଣଙ୍କୁ ମଧ୍ୟ ରାଜ୍ୟପାଳ ଆଜି ଶପଥ ପାଠ କରାଇଛନ୍ତି। ରିଓଙ୍କ କ୍ୟାବିନେଟରେ ଜି କାଇତୋ ଆୟେ, ଜ୍ୟାକବ ଝିମୋମି, କେଜି କେନୟେ, ପି ପାଇୱାଙ୍ଗ କୋନୟାକ, ମେଟସୁବୋ ଜମିର, ତେମଜେନ ଇମନା ଆଲୋଙ୍ଗ, ସିଏଲ ଜନ, ଏସ୍‌ କୁରସେ ଓ ପି ବାଶଙ୍ଗମୋଙ୍ଗବା ସାମିଲ ହୋଇଛନ୍ତି।

ନିକଟରେ ଶେଷ ହୋଇଥିବା ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ଏନଡିପିପି ଓ ଏହାର ସହଯୋଗୀ ବିଜେପି ମିଳିତ ଭାବେ ୩୭ଟି ଆସନ ଜିତିଛନ୍ତି। ଏନଡିପିପି ଏକାକୀ ୨୫ଟି ବିଜେପି ୧୨ଟି ଆସନରେ ବାଜିମାତ କରିଥିଲେ। ଏହି ଦୁଇ ଦଳ ମିଳିତ ଭାବେ ୬୦ଟି ଯାକ ଆସନରେ ପ୍ରାର୍ଥୀ ଦେଇଥିଲେ।

ପ୍ରଥମଥର ପାଇଁ ଲୋକ ଜଶକ୍ତି ପାର୍ଟି(ରାମ ବିଲାଶ) ନିର୍ବାଚନ ଲଢ଼ୁଥିବା ବେଳେ ୧୫ଟି ସ୍ଥାନରେ ପ୍ରାର୍ଥୀ ଦେଇଥିଲା। ଦଳ ୨ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ନାଗା ପିପୁଲ୍ସ ଫ୍ରଣ୍ଟ ୨ଟି, ଏନସିପି ୭ଟି ଓ ଜେଡିୟୁ ଗୋଟିଏ ସ୍ଥାନରେ ଜିତିବାକୁ ସକ୍ଷମ ହୋଇଛନ୍ତି।

Leave A Reply

Your email address will not be published.