ଜେଲରେ ଜେରା କରୁଛନ୍ତି ସିସୋଦିଆଙ୍କୁ ଇଡି

0

ନୂଆଦିଲ୍ଲୀ :ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୁଣି ଥରେ ଜେରା ହେବେ ଆପ୍ ନେତା ମନୀଷ ସିସୋଦିଆ। ଆଜି ତିହାର ଜେଲ୍ ଭିତରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ଘାଣ୍ଟିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏଥିପାଇଁ ଆଜି ଇଡିର ତିନି ଜଣିଆ ଅଧିକାରୀ ଟିମ୍ ତିହାର ଜେଲ୍ ଗସ୍ତରେ ଯାଇଛନ୍ତି।

ମନୀଷ ସିସୋଦିଆଙ୍କୁ ପଚରାଉଚରା ପାଇଁ ଇଡି କୋର୍ଟରୁ ଅନୁମତି ନେଇଛି। ଆଜି ପଚରାଉଚରା ପରେ ସିସୋଦିଆ ଗିରଫ ହୋଇପରନ୍ତି ବୋଲି କୁହାଯାଉଛି। ମଦ ଦୁର୍ନୀତି ମାମଲାରେ ପୂର୍ବରୁ ଅରୁଣ ପିଲ୍ଲାଇଙ୍କୁ ଇଡି ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୧ ଜଣ ଗିରଫ ହୋଇସାରିଲେଣି।

ଗତ କିଛି ଦିନ ତଳେ ସିବିଆଇ ଦ୍ୱାରା ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଗତକାଲି କୋର୍ଟ ମାର୍ଚ୍ଚ ୨୦ ଯାଏଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ପୂର୍ବରୁ ଆପ୍ ନେତା ସିସୋଦିଆଙ୍କୁ ପ୍ରଥମେ ପାଞ୍ଚ ଦିନ ଓ ପରେ ଦୁଇ ଦିନ ପାଇଁ ସିବିଆଇ ରିମାଣ୍ଡକୁ ପଠାଯାଇଥିଲା। ଏହାର ଅବଧି ଶେଷ ହେବା ପରେ ସିସୋଦିଆଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା।

ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ଦିଲ୍ଲୀର ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥ ଭଳି ୧୮ଟି ବିଭାଗର ଦାୟିତ୍ୱରେ ଥିଲେ।

Leave A Reply

Your email address will not be published.