କରୋନାକୁ ନେଇ ସାମ୍ନାକୁ ଆସିଲେ ଏମିତି କିଛି ତଥ୍ୟ
ନୂଆଦିଲ୍ଲୀ : ଚୀନର ଉହାନ ସହର କରୋନା ମହାମାରୀର ଉତ୍ପତ୍ତି ସ୍ଥଳ । ତେବେ କାହାଠାରୁ ଏହା ମଣିଷ ଶରୀରକୁ ବ୍ୟାପିଛି ବା ମୂଳ ଉତ୍ସକୁ କ’ଣ ତାହାକୁ ନେଇ ଏପର୍ଯ୍ୟନ୍ତ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି। କିଛି ବିଶେଷଜ୍ଞ ଏହି ଭୂତାଣୁ ବାଦୁଡ଼ିଠାରୁ ବ୍ୟାପିଥିବା କହୁଥିବାବେଳେ ଆମେରିକାର ଶକ୍ତି ବିଭାଗର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଏହା ଉହାନର ଏକ ଭାଇରୋଲୋଜି ଲାବୋରେଟୋରିରୁ ଦୁର୍ଘଟଣାବଶତଃ ଲିକ୍ ହୋଇଥିବା କୁହାଯାଇଥାଏ।
ଏହାକୁ ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିବାବେଳେ ଏବେ ଏକ ନୂଆ ତଥ୍ୟ ଆଲୋଚନାର ପରିସରକୁ ଆସିଛି। ହୁଆନାନର ଏକ ସାମୁଦ୍ରିକ ଖାଦ୍ୟ ବଜାରରୁ ସଂଗୃହୀତ ଜିନ୍ ନମୁନା ବିଶ୍ଳେଷଣରୁ ସାର୍ସ-କୋଭ୍-୨ ଭୂତାଣୁ ସେଠାରେ ବିକ୍ରି ହେଉଥିବା ଏକ ପ୍ରକାର ପ୍ରାଣୀ ଯାହାର ନାମ ରାକୁନ ଡଗ୍ରୁ ବ୍ୟାପିଛି ବୋଲି କୁହାଯାଇଛି।
ଗୁରୁବାର ନ୍ୟୁୟର୍କ ଟାଇମ୍ସରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ ଚୀନ କର୍ତ୍ତୃପକ୍ଷ ବଜାର ବନ୍ଦ କରିବା ପରେ ହୁଆନାନ୍ ସାମୁଦ୍ରିକ ଖାଦ୍ୟ ପାଇକାରୀ ବଜାର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରୁ ୨୦୨୦ ଜାନୁଆରିରେ ସ୍ବାବ ସଂଗ୍ରହ ହୋଇଥିଲା। ବଜାରରୁ ସେହି ସମୟରେ ଯଦିଓ ରାକୁନ କୁକୁରକୁ ହଟାଇ ନିଆଯାଇଥିଲା ଗବେଷକମାନେ ସେହି ପ୍ରାଣୀ ରହୁଥିବା ଘରୁ, ସେମାନଙ୍କୁ ପରିବହନ ପାଇଁ ବ୍ୟବହୃତ ହୋଇଥିବା ଗାଡ଼ି ଆଦିରୁ ସ୍ବାବ ସଂଗ୍ରହ କରିଥିଲେ। ସେହି ସ୍ବାବ କରୋନା ପଜିଟିଭ ଆସିଥିଲା। ସେହି ସଂଗୃହୀତ ସ୍ବାବ୍ର ଜିନୀୟ ତଥ୍ୟ ରାକୁନ ଡଗ୍ ର ଜିନ୍ ସହିତ ମେଳ ଖାଇଥିଲା ବୋଲି ଗବେଷଣାରେ ସାମିଲ ତିନି ଜଣ ବୈଜ୍ଞାନିକ କହିଛନ୍ତି।