୨୦୨୦-୨୧ ଆର୍ଥିକ ବର୍ଷରେ ବିଜେପିକୁ ମିଳିଛି ୪୭୭ କୋଟିରୁ ଅଧିକ ଚାନ୍ଦା

0

ନୂଆଦିଲ୍ଲୀ(ଆମ ଟିଭି): ଦେଶର ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଓ କଂଗ୍ରେସକୁ ସାର୍ବଜନୀନ ଭାବରେ ଦିଆଯାଇଥିବା ଚାନ୍ଦାର ରିପୋର୍ଟ ମଙ୍ଗଳବାର ପ୍ରକାଶ କରିଛି ନିର୍ବାଚନ ଆୟୋଗ । ୨୦୨୦-୨୧ ଆର୍ଥିକ ବର୍ଷରେ ବିଜେପିକୁ ବିଭିନ୍ନ ସୂତ୍ରରୁ ୪୭୭.୫ କୋଟିରୁ ଅଧିକ ଟଙ୍କାର ଆର୍ଥିକ ଚାନ୍ଦା ମିଳିଛି। ଏହି କ୍ରମରେ କଂଗ୍ରେସକୁ ମିଳିଛି ୭୪.୫୦ କୋଟି ଟଙ୍କାରୁ ଅଧିକ ଚାନ୍ଦା। ଯାହାକି ଶାସକ ଦଳକୁ ମିଳିଥିବା ଚାନ୍ଦାର ମାତ୍ର ୧୫ ପ୍ରତିଶତ ରହିଛି। ରିପୋର୍ଟ ମୁତାବକ ବିଜେପି ବିଭିନ୍ନ ସଂସ୍ଥା, ନିର୍ବାଚନ ଟ୍ରଷ୍ଟ ଏବଂ ବ୍ୟକ୍ତି ବିଶେଷଙ୍କ ଠାରୁ ୪,୭୭,୫୪,୫୦,୦୭୭ ଟଙ୍କା ପାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେପି ଦଳ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦଳକୁ ମିଳିଥିବା ଆର୍ଥିକ ଯୋଗଦାନର ରିପୋର୍ଟ ଦାଖଲ କରିଥିଲା। ସେହିପରି, ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସ ଦଳ ପକ୍ଷରୁ ଦାଖଲ କରାଯାଇଥିବା ଆର୍ଥିକ ଯୋଗଦାନ ରିପୋର୍ଟ ଅନୁଯାୟୀ, ଏହା ବିଭିନ୍ନ ସଂସ୍ଥା ଏବଂ ବ୍ୟକ୍ତି ବିଶେଷଙ୍କ ଠାରୁ ୭୪,୫୦,୪୯,୭୩୧ ଟଙ୍କା ପାଇଥିଲା।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ଆଇନର ବ୍ୟବସ୍ଥା ଅନୁଯାୟୀ ରାଜନୈତିକ ଦଳଗୁଡ଼ିକୁ ୨୦,୦୦୦ ଟଙ୍କାରୁ ଅଧିକ ଟଙ୍କାର ଆର୍ଥିକ ଯୋଗଦାନ ମିଳିଲେ ସେ ସଂପର୍କରେ ଦଳ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ପଡ଼ିବ।

Leave A Reply

Your email address will not be published.