ଏଣିକି ସବୁ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ, ଏହାଦ୍ବାରା ଲାଭ କଣ ଓ କ୍ଷତି କଣ ଜାଣନ୍ତୁ…
ଭୁବନେଶ୍ବର(ଆମ ଟିଭି): ଏଣିକି ସବୁ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବାଧ୍ୟତାମୂଳକ । କେନ୍ଦ୍ର ସରକାରଙ୍କ ମୋଟର ଭେହିକିଲ୍ ନିୟମ ଅନୁସାରେ ଏହା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ଏହି ନିୟମକୁ କଡ଼ାକଡ଼ି କରିଛନ୍ତି । ନୂଆ, ପୁରୁଣା ସମସ୍ତ ଗାଡ଼ିରେ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୯, ଏପ୍ରିଲ୍ ୧ ତାରିଖରୁ ପଞ୍ଜିକୃତ ସମସ୍ତ ଗାଡ଼ି ଗୁଡ଼ିକ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବହାର କରିଆସୁଛନ୍ତି । ତେବେ ୨୦୧୯, ଏପ୍ରିଲ୍ ୧ ତାରିଖ ପୂର୍ବରୁ ପଞ୍ଜିକୃତ ଗାଡ଼ିଗୁଡ଼ିକ ମଧ୍ୟ ଏହି ପ୍ଲେଟ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଅନଲାଇନ୍ ସେବା ଆରମ୍ଭ ହୋଇଛି । ଜୁନ୍ ୧ ତାରିଖରୁ ଏହି ସେବା ଆରମ୍ଭ ହେବ । ତେବେ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଦ୍ଵାରା କଣ ଲାଭ ଓ କଣ କ୍ଷତି ହେବ ଆସନ୍ତୁ ଜାଣିବା-
ପୁରୁଣା ନମ୍ବର ପ୍ଲେଟକୁ ଜାଲିଆତି କରିବା ଓ ଅପବ୍ୟବହାର କରିବା ସହଜ ହୋଇଥାଏ। ଏହା ସହ ଏଚଏସଆରପି ପ୍ଲେଟ୍ ଗୁଡ଼ିକ ନନ୍-ରିମୁଭେବୁଲ ସ୍ନାପ-ଲକ୍ ସହ ଆସିଥାଏ ଏବଂ ଏହାକୁ ବଦଳାଇବା ଅସମ୍ଭବ। ଏଚଏସଆରପିରେ ଏକ କେନ୍ଦ୍ରୀୟ ଡାଟାବେସ୍ ବିଶିଷ୍ଟ ଇଞ୍ଜିନ ନମ୍ବର ଓ ଚେସିସ୍ ନମ୍ବର ଭଳି ବିବରଣୀ ରହିଥାଏ। ୧୦ ଅଙ୍କ ବିଶିଷ୍ଟ ପିନ୍ ସହିତ ଗଚ୍ଛିତ ତଥ୍ୟ ଚୋରି ହୋଇଥିବା ଗାଡିକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ। ପୁରୁଣା ନମ୍ବର ପ୍ଲେଟ୍ ଗୁଡ଼ିକ ଭିନ୍ନଭିନ୍ନ ଫଂଟ ଓ ଷ୍ଟାଇଲର ହୋଇଥାଏ। ଫଳରେ ଚଳନ୍ତା ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବରକୁ ଚିହ୍ନଟ କରିବାରେ ଟ୍ରାଫିକ୍ ପୋଲିସକୁ ସମସ୍ୟା ହୋଇଥାଏ। କିନ୍ତୁ ଏଚଏସଆରପି ରେଜିଷ୍ଟ୍ରେସନ୍ ପ୍ଲେଟରେ ୟୁନିଫାଏଡ ଫଂଟଓ ଷ୍ଟାଇଲ୍ ରହିବ, ଯାହାକୁ ପଢ଼ିବା ସହଜ ହେବ।
ସେହିପରି ଏହି ନମ୍ବର ପ୍ଲେଟ୍ ଆଲୁମିନିୟମରେ ତିଆରି। ତେଣୁ ଏହି ନମ୍ବର ପ୍ଲେଟକୁ ଜାଲିଆତି କରିହେବନି। ଏଥିରେ ଦୁଇଥର ବ୍ୟବହାର ଯୋଗ୍ୟ ଲକ୍ ରହିଛି।ନମ୍ବର ପ୍ଲେଟର ବାମପଟେ କ୍ରୋମିୟମ ଆଧାରିତ ଅଶୋକ ଚକ୍ର ରହିବ, ଯେଉଁଥିରେ ଇଣ୍ଡିଆ ଲେଖା ରହିବ। ଗାଡ଼ି ଚିହ୍ନଟ ନମ୍ବର ଲେଜର୍ ଏନକୋଡ୍ ହେବ। ଏହାକୁ ସ୍କାନ୍ କରିବା ସହଜ ଏବଂ ଜାଲିଆତି କରିବା କଷ୍ଟକର ହେବ।