ମେ ୧୦ରେ କର୍ଣ୍ଣାଟକ ନିର୍ବାଚନ ଘୋଷଣା କଲେ ନିର୍ବାଚନ କମିଶନର
ନୂଆଦିଲ୍ଲୀ :ବାଜିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନୀ ବିଗୁଲ। ଆସନ୍ତା ମେ’ ୧୦ ତାରିଖରେ ପଡିବ ଭୋଟ। ମେ’ ୧୩ ତାରିଖରେ ଫଳାଫଳ ଘୋଷଣା ହେବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ ଆଜି ତାରିଖ ଘୋଷଣା କରିଛନ୍ତି। କର୍ଣ୍ଣାଟକର ୫ କୋଟି ୨୨ ଲକ୍ଷ ଭୋଟର ନିଜ ନିଜ ମତଦାନ ସାବ୍ୟସ୍ତ କରିବେ। ନିରପେକ୍ଷ ନିର୍ବାଚନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି।
ଏଥର ନୂଆ ଭୋଟର୍ଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। କର୍ଣ୍ଣାଟକରେ ୯ କୋଟି ୧୭ ଲକ୍ଷ ନୂଆ ଭୋଟର୍ ଯୋଡି ହୋଇଛନ୍ତି। ଏପ୍ରିଲ ୧ ତାରିଖରୁ ଯେଉଁମାନଙ୍କ ବୟସ ୧୮ ବର୍ଷ ହେଉଛି ସେମାନେ ଭୋଟ୍ ଦେଇପାରିବେ। ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଭୋଟର୍ରେ ଘରେ ରହି ଭୋଟ ଦେଇପାରିବେ।
ରାଜ୍ୟରେ ୨୪୦ ମଡେଲ ମତଦାନ କେନ୍ଦ୍ର ରହିବ ଯେଉଁଥିରେ ଯୁବକମାନେ ନିୟୋଜିତ ହେବେ। କର୍ଣ୍ଣାଟକରେ ୫୮ ହଜାର ୨୮୨ ମତଦାନ କେନ୍ଦ୍ର ଅଛି, ସେଥିମଧ୍ୟରୁ ୨୦ ହଜାର ୮୬୬ଟି ସହରୀ କେନ୍ଦ୍ର ରହିଛି । ଏଥିମଧ୍ୟରୁ ୫୦ ପ୍ରତିଶତ ମତଦାନ କେନ୍ଦ୍ର ତଥା ୨୯ ହଜାର ୧୪୦ଟି ବୁଥରେ ୱେବକାଷ୍ଟିଂ କରାଯିବ । ୧୦୦ଟି ବୁଥରେ ଦିବ୍ୟାଙ୍ଗ କର୍ମଚାରୀ ନିୟୋଜିତ ରହିବେ। ମେ’ ୨୪ ତାରିଖରେ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ଏହା ପୂର୍ବରୁ ନିର୍ବାଚନ ଶେଷ ହୋଇ ସରକାର ଗଠନ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସିଇସି।
ଏହାଛଡ଼ା, ଚଳିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କିନ୍ନରମାନଙ୍କ ପ୍ରତି ବିଶେଷ ଗୁରୁତ୍ବାରୋପ କରାଯିବ। କର୍ଣ୍ଣାଟକର ‘ଭଲ୍ନେରାବଲ୍ ଟ୍ରାଇବାଲ୍ ଗ୍ରୁପ୍ସ୍’ଙ୍କ ଭୋଟ୍ ଉପରେ ବି ବିଶେଷ ଧ୍ୟାନ ଦିଆଯାଇଛି। ସେମାନଙ୍କ ପାଇଁ ୪୦ ‘ପିଭିଟିଜି’ ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯିବ ବୋଲି ନିର୍ବାଚନ କମିଶନର୍ କହିଛନ୍ତି।