ଆନ୍ଦୋଳନରୁ ଶର୍ମିଲା ଉଠାଇ ନେଇ ଘରେ ଛାଡିଲା ପୋଲିସ

0

ହାଇଦ୍ରାବାଦ: ପ୍ରଶ୍ନପତ୍ର ଲିକ୍‌ ବିରୋଧରେ ଆଜି ନାମପାଲ୍ଲୀସ୍ଥିତ ‘ତେଲେଙ୍ଗାନା ଷ୍ଟେଟ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌’ ବୋର୍ଡ ସମ୍ମୁଖରେ ବସି ପ୍ରତିବାଦ ପ୍ରଦର୍ଶନ କରୁଥିବା ‘ୱାଇଏସ୍‌ଆର୍‌ଟିପି’ ନେତ୍ରୀ ୱାଇ. ଏସ୍‌. ଶର୍ମିଲାଙ୍କୁ ପୁଲିସ କିଛି ସମୟ ଅଟକ ରଖିବା ପରେ ନେଇ ତାଙ୍କ ବାସଭବନରେ ଛାଡ଼ି ଦେଇଛି।
ଏହି ପ୍ରତିବାଦ ସମୟରେ ପୁଲିସ ଓ ‘ୱାଇଏସ୍‌ଆର୍‌ଟିପି’ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଅନ୍ୟୂନ ୧୧ଜଣ ପ୍ରତିବାଦକାରୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ପ୍ରତିବାଦ ପ୍ରଦର୍ଶନସ୍ଥଳକୁ ଯିବା ସମୟରେ ଗୋଟାଏ ଭିଡିଓରେ ଶର୍ମିଲା କହିଥିଲେ, ‘ତେଲେଙ୍ଗାନା ଷ୍ଟେଟ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌’ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଅଧସ୍ତନଙ୍କୁ ଦୋଷୀ ଦର୍ଶାଇ ପଦସ୍ଥମାନଙ୍କୁ ଛାଡ଼ି ଦିଆଯାଉଛି। ‘ତେଲେଙ୍ଗାନା ଷ୍ଟେଟ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌’ ସମ୍ମୁଖରେ ଯଦି ଆମେ ପ୍ରତିବାଦ କରିବୁ ଆମକୁ ଗୃହବନ୍ଦୀ କରାଯିବ।

ସଂଗୃହୀତ ସୂଚନା ଅନୁସାରେ, ପ୍ରତିବାଦ ସମୟରେ ଶର୍ମିଲାଙ୍କ ସହିତ ମିଶି ସ୍ଲୋଗାନ୍‌ ଦେଉଥିବା କେତେକଙ୍କୁ ପ୍ରତିବାଦସ୍ଥଳରୁ ବସ୍‌ ଯୋଗେ ଦୂରକୁ ନିଆଯାଇଛି।

ଏହି ଘଟଣାରେ ‘ବିଜେପି’ ମଧ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି।

ପ୍ରଶ୍ନପତ୍ର ଲିକ୍‌ ହେବା ପରେ ରାଜ୍ୟରେ ଅନ୍ୟୂନ ୩ଟି ପରୀକ୍ଷା ବାତିଲ କରାଯାଇଛି। ରାଜ୍ୟ ଶିଳ୍ପ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ କେ.ଟି. ରାମା ରାଓ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍‌ ଘଟଣା ନିର୍ଦ୍ଦିଷ୍ଟ କେତେକ ବ୍ୟକ୍ତିଙ୍କର ସୀମିତ କାର୍ଯ୍ୟକଳାପ।

Leave A Reply

Your email address will not be published.