ଓଡ଼ିଆ ଘରର ମହିଳାଙ୍କ ଅଦମ୍ୟ ଶକ୍ତିକୁ ସମ୍ମାନ: ଜୀ-ସାର୍ଥକରେ ଆସୁଛି ଏକ ନିଆରା ରିଆଲିଟି ସୋ’ ‘ଗୃହଲକ୍ଷ୍ମୀ’

0

ଭୁବନେଶ୍ବର (ଆମ ଟିଭି): ଟେଲିଭିଜନ ପରଦାରେ ଏମିତି କିଛି କାର୍ଯ୍ୟକ୍ରମ ଆସେ, ଯାହା କେବଳ ମନୋରଞ୍ଜନର ସୀମା ଭିତରେ ଆବଦ୍ଧ ନ ରହି ଆମ ସମାଜ ଓ ବାସ୍ତବ ଜୀବନର ନିଚ୍ଛକ ପ୍ରତିବିମ୍ବ ସାଜିଥାଏ। ଠିକ୍ ସେହିଭଳି ଏକ ଅନନ୍ୟ ପ୍ରୟାସ ନେଇ ଓଡ଼ିଶାର ଲୋକପ୍ରିୟ ଚ୍ୟାନେଲ ‘ଜୀ-ସାର୍ଥକ’ ଆସୁଛି ତା’ର ନୂତନ ରିଆଲିଟି ସୋ’ ‘ଗୃହଲକ୍ଷ୍ମୀ’ ମାଧ୍ୟମରେ, ଯାହା ପ୍ରତିଟି ଓଡ଼ିଆ ଘରର ମହିଳାମାନଙ୍କ ଅଦମ୍ୟ ଶକ୍ତି ଓ ଅକ୍ଲାନ୍ତ ପରିଶ୍ରମର ଏକ ସୁନ୍ଦର ଉଦାହରଣ । ନାରୀମାନଙ୍କ ସ୍ୱପ୍ନ ଓ ସମର୍ପଣର ଏହି ମହାକୁମ୍ଭ ଆସନ୍ତା ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରତି ଶନିବାର ଏବଂ ରବିବାର ରାତି ୯:୩୦ ମିନିଟ୍‌ରେ ଜୀ-ସାର୍ଥକ ପରଦାରେ ଏହାର ପ୍ରସାରଣ ହେବ।

 

ସକାଳୁ ଉଠି ତୁଳସୀ ଚଉରାରେ ଦୀପ ଜାଳିବା ଠାରୁ ଆରମ୍ଭ କରି, ଘରର ଆର୍ଥିକ ଖର୍ଚ୍ଚ ପରିଚାଳନା କରିବା, ଗୁରୁଜନମାନଙ୍କ ଯତ୍ନ ନେବା ଏବଂ ପରିବାରକୁ ଏକାଠି ବାନ୍ଧି ରଖିବା ଭଳି କଠିନ କାମ ସେ ହସି ହସି କରିଥାନ୍ତି ପ୍ରତିଟି ଓଡ଼ିଆ ଘରର ମହିଳା। ଏହି ସାଧାରଣ ଘରୋଇ ମହିଳାମାନଙ୍କ ଭିତରେ ଲୁଚି ରହିଥିବା ଅସାଧାରଣ ପ୍ରତିଭାକୁ ଲୋକଲୋଚନକୁ ଆଣିବା ହେଉଛି ‘ଗୃହଲକ୍ଷ୍ମୀ’ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

 

ଏହି ସୋ’ର ପରିକଳ୍ପନା ବେଶ୍ ନିଆରା। ଏଥିରେ ଦୁଇ ପିଢ଼ିର ବିବାହିତା ମହିଳାମାନେ ଅଂଶଗ୍ରହଣ କରିବେ, ଯେଉଁଥିରେ ‘ସାନ ଭାଉଜ’ (୨୦ ରୁ ୩୦ ବର୍ଷ) ଏବଂ ‘ବଡ଼ ଭାଉଜ’ (୩୧ ରୁ ୪୦ ବର୍ଷ) ଏକାଠି ମଞ୍ଚକୁ ଆସିବେ। ଏହା କେବଳ ଏକ ସାଧାରଣ ପ୍ରତିଯୋଗିତା ନୁହେଁ, ବରଂ ଘରକରଣାର ବିଭିନ୍ନ ଦକ୍ଷତା ଯେପରିକି- ରୋଷେଇ, ଝୋଟି, ପୂଜାପାଠ, ଅତିଥି ସତ୍କାର, ଘରୋଇ ବଜେଟ୍ ପରିଚାଳନା, ପାରିବାରିକ ସମସ୍ୟାର ସମାଧାନ ଏବଂ ଆଧୁନିକ ଜୀବନଶୈଳୀର ମଲ୍ଟି-ଟାସ୍କିଂ ଉପରେ ଆଧାରିତ ଅନେକ ମଜାଦାର ଖେଳ ଏଥିରେ ସ୍ଥାନ ପାଇବ। ପ୍ରତିଯୋଗୀମାନେ ନିଜର ଦକ୍ଷତା ମାଧ୍ୟମରେ ପ୍ରମାଣିତ କରିବେ ଯେ ସେମାନେ କାହିଁକି ଏକ ପ୍ରକୃତ ‘ଗୃହଲକ୍ଷ୍ମୀ’। କାର୍ଯ୍ୟକ୍ରମର ବାର୍ତ୍ତା ବହୁତ ସ୍ପଷ୍ଟ- “ଯିଏ ମନ କିଣେ, ଆଉ ଦୁନିଆ ଜିଣେ, ସେଇ ଆମ ଗୃହଲକ୍ଷ୍ମୀ।”

ଶୋ’ ର ଏକ ବିଶେଷତ୍ୱ ରହିଛି, ପ୍ରଥମଥର ପାଇଁ କୁତ୍ରିମ ବୁଦ୍ଧିମତା ଅନୁସାରେ ବିଭିନ୍ନ ଖେଳ କରାଯାଉଛି l

ଏହି ମଞ୍ଚକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓଲିଉଡର କିଛି ଜଣାଶୁଣା ଚେହେରା ଏଥିରେ ସାମିଲ ହୋଇଛନ୍ତି। ବିଚାରପତି ଆସନରେ ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର ଏବଂ ଅଭିନେତା ପୁପିନ୍ଦର ବସିଥିବା ବେଳେ, ପ୍ରତିଯୋଗୀମାନଙ୍କୁ ସଠିକ୍ ମାର୍ଗଦର୍ଶନ ଦେବା ପାଇଁ ମେଣ୍ଟର ଭାବରେ ଅନିଶା ମହାକୁଡ଼ ଏବଂ ପିଙ୍କି ପ୍ରଧାନ ନଜର ଆସିବେ। ସେହିପରି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ନିଜର ସୁନ୍ଦର ଉପସ୍ଥାପନା ଶୈଳୀରେ ବାନ୍ଧି ରଖିବେ ଆଙ୍କର ଲୋରିଆ ମହାନ୍ତି।

 

ଏହି ସ୍ୱତନ୍ତ୍ର ଏବଂ ମାର୍ମିକ କାର୍ଯ୍ୟକ୍ରମକୁ ନେଇ ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀଯୁକ୍ତ ରାହୁଲ ରାଓ ଦର୍ଶକମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ପ୍ରତିଟି ଓଡ଼ିଆ ଘରର ମହିଳାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗ ପ୍ରତି ଜୀ-ସାର୍ଥକର ଏକ ବିନମ୍ର ସମ୍ମାନ। ଜଣେ ନାରୀ କିପରି ଆମ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଆଧୁନିକତାର ତାଳମେଳରେ ନିଜ ପରିବାର ଓ ସ୍ୱପ୍ନକୁ ଆଗକୁ ନେଉଛି, ତାହା ଏହି ମଞ୍ଚରେ ଉତ୍ସବର ରୂପ ନେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏଥିସହ ସେ ରାଜ୍ୟର ସମସ୍ତ ଦର୍ଶକଙ୍କୁ ନିବେଦନ କରିଛନ୍ତି ଯେ ସମସ୍ତେ ନିଜ ପରିବାର ସହ ବସି ଏହି କାର୍ଯ୍ୟକ୍ରମକୁ ଦେଖନ୍ତୁ ଏବଂ ନିଜ ଘରର ମହିଳାମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରନ୍ତୁ, କାରଣ ଏହା ପ୍ରକୃତରେ ସେମାନଙ୍କର ହିଁ ନିଜସ୍ୱ ସୋ’। ‘ମୋର ଦୃଢ଼ ବିଶ୍ୱାସ, ‘ଗୃହଲକ୍ଷ୍ମୀ’ କେବଳ ଏକ ଟେଲିଭିଜନ ରିଆଲିଟି ସୋ’ ହୋଇ ରହିବ ନାହିଁ, ବରଂ ଏହା ପ୍ରତିଟି ଓଡ଼ିଆ ଘରର ମହିଳାଙ୍କ ପାଇଁ ଏକ ନୂଆ ପରିଚୟ ଓ ପ୍ରେରଣାର ଉତ୍ସ ପାଲଟିବ’ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.