ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟଭର୍ଗିୟା ବୟାନକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ:ଦେଶରେ କ୍ଷମତାସୀନ ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟଭର୍ଗିୟା ଝିଅମାନଙ୍କ ପୋଷାକକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଆଜିକାଲି ଝିଅମାନେ ଏତେ ଖରାପ ପୋଷାକ ପିନ୍ଧୁଛନ୍ତି ଯେ ସେମାନେ ସୁପଣରେଖା ଭଳି ଦେଖାଯାଉଛନ୍ତି ବୋଲି ସେ କହିଛନ୍ତି। ସୁପଣରେଖା ହେଉଛନ୍ତି ରାମାୟଣରେ କଥା ଅନୁସାରେ ଜଣେ ରାକ୍ଷସୀ। ସେ ରାବଣଙ୍କର ଭଉଣୀ।
ଏବେ ସୁପଣରେଖାଙ୍କ ଉଦାହରଣ ଦେଇ କୈଳାସ ବିଜୟଭର୍ଗିୟା ଝିଅମାନଙ୍କ ପୋଷାକ ଉପରେ ଟିପ୍ପଣୀ କରିଛନ୍ତି। ଗୁରୁବାର ଇନ୍ଦୋରରେ ଆୟୋଜିତ ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମରେ ଏହି ବିଜେପି ନେତା ଜଣଙ୍କ ଯୋଗ ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ “ମୁଁ ଯେତେବେଳେ ରାତି ବେଳା ଘର ବାହାରୁଛି ସେତେବେଳେ ଯୁବଗୋଷ୍ଠୀଙ୍କୁ ନିଶାରେ ଝୁମିଝୁମି ଯାଉଥିବା ଦେଖିବାକୁ ପାଉଛି। ସେମାନଙ୍କୁ ଦେଖି ମୁଁ ପୂରା ବିରକ୍ତ ହୋଇଯାଏ। ଇଚ୍ଛା ହୁଏ, ସେମାନଙ୍କୁ ୫ରୁ ୭ ଚାପୁଡ଼ା ମାରିବାକୁ। ଚାପୁଡ଼ା ଖାଇଲେ ସେମାନଙ୍କ ନିଶା ଖସିଯିବ।
ଭଗବାନଙ୍କ ରାଣ ପକାଉଛି, ହନୁମାନ ଜୟନ୍ତୀରେ ମିଛ କହୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଝିଅମାନେ ଅତ୍ୟନ୍ତ ଖରାପ ପୋଷାକ ପିନ୍ଧୁଛନ୍ତି। ଆମେ ସମସ୍ତେ ମହିଳାମାନଙ୍କୁ ଦେବୀର ଆଖ୍ୟା ଦେଉଥାଉ। ହେଲେ ଝିଅ ଏମିତି କପଡ଼ା ପିନ୍ଧୁଛନ୍ତି ଯେ ସେମାନେ ପୂରା ସୁପଣରେଖା ଭଳି ଦିଶୁଛନ୍ତି। ଭଗବାନ ଆପଣମାନଙ୍କୁ ଭଲ ଚେହେରା ଦେଇଛନ୍ତି। ତେଣୁ ଭଲ ପୋଷକ ପିନ୍ଧନ୍ତୁ। ଆପଣମାନେ ନିଜ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଦିଅନ୍ତୁ। ମୁଁ ଏସବୁ ପୋଷାକ ଦେଖି ବେଶ ଚିନ୍ତିତ।”