ନୂଆଦିଲ୍ଲୀ (ଆମ ଟିଭି): କରୋନା ଏବେ ସାରା ଦେଶରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ନିର୍ଦ୍ଦେଶ ଜାରି କରାଯାଉଛି । ଏହାରି ମଧ୍ୟରେ ଏବେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ମୁତାବକ ସରକାର ଆଉ କମ୍ପାନୀମାନଙ୍କ ଠାରୁ କରୋନା ଟିକା କିଣିବେ ନାହିଁ । ବୁଧବାର ଦିନ କେନ୍ଦ୍ର ସରକାରଙ୍କ ଏକ ଶୀର୍ଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସାଧାରଣ ଲୋକ କରୋନାର ତୃତୀୟ ଓ ଚତୁର୍ଥ ଖୋରାକ ନେବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର କହିବା କଥା କି କରୋନାର ନୂଆ ଭାରିଆଣ୍ଟ ଏକ୍ସବିବି.୧.୧୬ ଅଧିକ ମାରାତ୍ମକ ନୁହେଁ । ଏହି ଭୂତାଣୁ ସଂକ୍ରମିତ ହେଲେ ଲୋକଙ୍କ ମେଡିକାଲ ଯିବାର ଆବଶ୍ୟକତା ନାହିଁ । କେବଳ ରୋଗୀ ଓ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ଏହି ଭୂତାଣୁ ବିପଦ ବୋଲି କୁହାଯାଇଛି । ଏହି କାରଣରୁ ସରକାର ଆଉ ଫାର୍ମା କମ୍ପାନୀଙ୍କ ଠାରୁ କୌଣସି କରୋନା ନିରୋଧୀ ଟିକା କିଣିବାକୁ ମନା କରିଦେଇଛନ୍ତି । କେବଳ ରୋଗୀ ଓ ୬୦ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ତୃତୀୟ ଓ ଚତୁର୍ଥ ଡୋଜ୍ ଟିକା ନେବାକୁ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପରାମର୍ଶ ଦେଇଛନ୍ତି ।