ୟୁଟ୍ୟୁବକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ, କାହିଁକି ଜାଣନ୍ତୁ

0

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟାଙ୍କ ସମ୍ପର୍କରେ ଯଦି କୌଣସି ମିଥ୍ୟା ସମ୍ବାଦ ଥାଏ ତାହାକୁ ‘ପ୍ଲାଟ୍‌ଫର୍ମ’ରୁ ହଟାଇ ଦେବା ପାଇଁ ଆଜି ଦିଲ୍ଲୀ ହାଇକୋର୍ଟ ‘ୟୁଟ୍ୟୁବ୍‌’କୁ ନିର୍ଦେଶ ଦେଇଛନ୍ତି।ଏହାଛଡ଼ା, ଉକ୍ତ ମିଥ୍ୟା ସମ୍ବାଦ ସବୁ ଯେମିତି ଆଉ ସେୟାର୍‌ ନ ହୁଏ ସେଥିପ୍ରତି ସୁନିଶ୍ଚିତ ରହିବାକୁ ମଧ୍ୟ ଅଦାଲତ ‘ୟୁଟ୍ୟୁବ୍‌’କୁ କହିଛନ୍ତି।

ସୂଚନାଯୋଗ୍ୟ, ଐଶ୍ବର୍ଯ୍ୟା ଓ ଅଭିଷେକଙ୍କ ଝିଅ ତଥା ଅମିତାଭଙ୍କ ୧୧ ବର୍ଷୀୟ ନାତୁଣୀ ଆରାଧ୍ୟାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ଗୋଟାଏ ‘ୟୁଟ୍ୟୁବ୍‌’ ଟାବ୍‌ଲଏଡ୍‌ ବା ଚାନେଲ୍‌ ‘ମିଥ୍ୟା ସମ୍ବାଦ’ ରିପୋର୍ଟ କରିଥିଲା। ଏହାକୁ ବିରୋଧ କରି ବୁଧବାର ଦିନ ଆରାଧ୍ୟା ଦିଲ୍ଲୀ ହାଇକୋର୍ଟରେ ପିଟିସନ୍‌ ଫାଇଲ୍‌ କରିଥିଲେ।

ଭିଡିଓ ସେୟାରିଙ୍ଗ୍‌ ପ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’କୁ ମିଥ୍ୟା ସମ୍ବାଦ ପ୍ରସାରଣରୁ ନିବୃତ ହେବାକୁ ନିର୍ଦେଶ ଦେଇ ହାଇକୋର୍ଟ କହିଛନ୍ତି ଯେ, ଏଭଳି ବିଭ୍ରାନ୍ତିକର ବିଷୟବସ୍ତୁ ଥିବା ଭିଡିଓ ପୋଷ୍ଟିଙ୍ଗ୍‌ ନ ହୋଇ ପାରିବା ବିଷୟରେ ସୁନିଶ୍ଚିତ ହେବାକୁ ସେମାନଙ୍କର କୌଣସି ନୀତି ନାହିଁ କି? ବ୍ୟବହାରକାରୀମାନଙ୍କୁ ‘ପ୍ଲାଟ୍‌ଫର୍ମ’ ଯୋଗାଇ ଦିଆଯାଇଛି ଏବଂ ସେଠାରେ କ’ଣ ପ‌ୋଷ୍ଟିଙ୍ଗ୍‌ ହେଲା ସେଥିପାଇଁ ‘ୟୁଟ୍ୟୁବ୍‌’ ଉତ୍ତରଦାୟୀ ନୁହେଁ କହିଲେ ଚଳିବ ନାହିଁ।

ଏହି ପିଟିସନ୍‌ରେ ପକ୍ଷଭୁକ୍ତ କରାଯାଇଥିବା ‘ଗୁଗଲ୍‌’ ଓ ସମସ୍ତ ‘ୟୁଟ୍ୟୁବ୍‌ ପ୍ଲାଟ୍‌ଫର୍ମ’କୁ ଅଦାଲତ ସମନ୍‌ ଜାରି କରିଥିଲେ। ଏହାଛଡ଼ା, ସଂଶୋଧିତ ‘ଆଇ.ଟି.’ ନୀତିନିୟମ ଅନୁଯାୟୀ ସେମାନେ ସେମାନଙ୍କର ନୀତି ବଦଳାଇଛନ୍ତି କି, ନାହିଁ ବୋଲି ମଧ୍ୟ ହାଇକୋର୍ଟ ସେମାନଙ୍କୁ ପଚାରିଥିଲେ।

Leave A Reply

Your email address will not be published.