କେରଳରେ ପ୍ରଥମ ଥର ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ମୋଦି କଲେ ଉଦଘାଟନ
ତିରୁଅନନ୍ତପୁରମ୍: କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ମଙ୍ଗଳବାର ଦିନ ତିରୁଅନନ୍ତପୁରମ୍ କେନ୍ଦ୍ରୀୟ ରେଳ ଷ୍ଟେସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି। ଦୁଇ ଦିନିଆ କେରଳ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ସକାଳ ୧୧.୧୦ ସମୟରେ ତିରୁବନନ୍ତପୁରମ୍ରୁ କାସାରଗୋଡ଼ା ଯାଉଥିବା ରାଜ୍ୟର ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ଚଳାଚଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଟ୍ରେନ୍ଟି ତିରୁଅନନ୍ତପୁରମ୍, କୋଲାମ୍, କୋଟାୟମ୍, ଏର୍ଣ୍ଣାକୁଲମ୍, ଥ୍ରିସୁର୍, ପଲକ୍କଡ, ପଠନମ୍ଥିଟା, ମାଲାପୁରମ୍, କୋଜିକୋଡେ ଏବଂ କାସାରାଗୋଡ ଆଦି ୧୧ଟି ଜିଲ୍ଲାରେ ଚାଲିବ । ମଙ୍ଗଳବାର ସକାଳେ ତିରୁଅନନ୍ତପୁରମରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା। ଏହା ପରେ ସେ କେନ୍ଦ୍ରୀୟ ରେଳ ଷ୍ଟେସନ୍କୁ ବାହାରି ଯାଇଥିଲେ।
ରେଳ ଷ୍ଟେସନ୍ରେ ପହଞ୍ଚି ବନ୍ଦେ ଭାରତ ଟ୍ରେନ୍ର ଉଦ୍ଘାଟନ କରିବା ପରେ ମୋଦୀ ସେଠାରେ ଦଳେ ସ୍କୁଲ୍ ପିଲାଙ୍କ ସହ କଥା ହୋଇଥିଲେ। ମୋଦୀ ପିଲାମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ କେରଳର ରାଜ୍ୟପାଳ ଅରିଫ୍ ମହମଦ ଖାନ୍, ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଏବଂ କଂଗ୍ରେସ ନେତା ଶଶୀ ଥରୁର୍ ଉପସ୍ଥିତ ଥିଲେ।
କୁନି କୁନି ପିଲାମାନେ ମୋଦୀ ଓ ବନ୍ଦେ ଭାରତ ଏକ୍ସପ୍ରେସ୍ର କିଛି ଚିତ୍ର ଏବଂ ସ୍କେଚ୍ କରିଥିବା ପ୍ରଧାନମନ୍ତ୍ରୀଙ୍କୁ ଦେଖାଇଥିଲେ। ମୋଦୀ ଟ୍ରେନ୍ର ଉଦ୍ଘାଟନ କରିବା ବେଳେ ଦେଖିବା ପାଇଁ ପ୍ଲାଟ୍ଫର୍ମ ସେପାଖରେ ହଜାର ହଜାର ଲୋକ ଛିଡ଼ା ହୋଇଥିଲେ।