ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବସବରାଜ ବୋମାଇ
କର୍ଣ୍ଣାଟକା :କର୍ଣ୍ଣାଟକାରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସବୁ ଦୋଷ ନିଜ ମୁଣ୍ଡକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ। ବିଜେପି ରାଜ୍ୟରେ ଫେଲ ମାରିବାକୁ ବୋମାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଗତକାଲି ରାତି ପ୍ରାୟ ୧୦ଟା ବେଳେ ରାଜଭବନରେ ପହଞ୍ଚି ରାଜ୍ୟପାଳ ଥୱରଚାନ୍ଦ ଗେହଲଟଙ୍କୁ ଭେଟିଥିଲେ। ତାଙ୍କ ସହ କିଛି ସମୟ କଥା ହେବା ପରେ ସେ ତାଙ୍କୁ ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଥିଲେ। ଏବେ ନୂଆ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶପଥ ନେବା ପର୍ଯ୍ୟନ୍ତ ବୋମାଇ ଏହି ପଦର ଦାୟିତ୍ୱରେ ରହିବେ।
ଚଳିତ ନିର୍ବାଚନରେ ବୋମାଇ ପୂର୍ବ ଭଳି ଶିଗାଓଁ ଆସନରୁ ଲଢ଼ିଥିଲେ। ଏଠାରେ ସେ ଏକତରଫା ବିଜୟ ମଧ୍ୟ ହାସଲ କରିଛନ୍ତି। ତଥାପି ସେ ବିଜେପିର ନୈରାଶଜନକ ପ୍ରଦର୍ଶନ ପାଇଁ ସବୁ ଦୋଷ ନିଜ ମୁଣ୍ଡକୁ ନେଇଛନ୍ତି। ସେ କହିଛନ୍ତି, “ଆମ ସମସ୍ତଙ୍କୁ ଗୋଟିଏ କଥା ମନେ ରଖିବା ଦରକାର। ଏଥର ଆମେ ୩୬%ରୁ ଅଧିକ ଭୋଟ ପାଇଛୁ।
ଏହା ଗତଥର ଅପେକ୍ଷା ଅଧିକ। ଆମେ ପଛରେ କ’ଣ ବିଶ୍ଲେଷଣ କରିବୁ, ସେଥିରେ କିଛି ଯାଏଆସେ ନାହିଁ। ପରାଜୟ ସବୁବେଳେ ପରାଜୟ। ବିଧାନସଭା ନିର୍ବାଚନରେ ପରାଜୟ ହୋଇଥିଲେ ହେଁ ଏହାର ପ୍ରଭାବ ଲୋକସଭା ଉପରେ ପଡ଼ିବ ନାହିଁ। ୮ରୁ ୧୦ ମାସ ମଧ୍ୟରେ ଲୋକସଭା ନିର୍ବାଚନ ହେବ। ଆମେ ଏଥିପାଇଁ କାମ କରିବୁ। ଏହାର ପ୍ରଭାବ ଲୋକସଭା ନିର୍ବାଚନ ଉପରେ ପଡ଼ିବ ନାହିଁ।”