ଦେଶ ଛାଡ଼ି ଯାଇପାରିବେନି ଇମ୍ରାନ ଖାନ୍
ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନରେ ଇମ୍ରାନ ଖାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ଯାହା ଖବର ମିଳୁଛି, ଦେଶ ଛାଡ଼ି ପାରିବେନି ଇମ୍ରାନ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗସ୍ତ ଉପରେ ରୋକ୍ ଲଗାଇଛନ୍ତି ଶହେବାଜ ସରକାର । ଇସ୍ଲାମାବାଦ ହାଇକୋର୍ଟ ୨ ଜୁନ ପର୍ୟ୍ୟନ୍ତ ଇମ୍ରାନ ଖାନଙ୍କୁ ଜାମିନ ଦେଇଛନ୍ତି । ଏହି ସମୟ ମଧ୍ୟରେ ଇମ୍ରାନ ଖାନ କିମ୍ବା ତାଙ୍କ ପତ୍ନୀ ବୁଶରା ବିବିଙ୍କ ବିଦେଶ ଗସ୍ତ ଉପରେ ଲଗାମ ଲଗାଇଛନ୍ତି ପାକିସ୍ତାନ ସରକାର ।
ଏହାସହିତ ପିଟିଆଇର ୮୦ରୁ ଅଧିକ ସଦସ୍ୟଙ୍କ ବିଦେଶ ଗସ୍ତ ଉପରେ ରୋକ୍ ଲାଗିଛି ।ମେ ୯ତାରିଖରେ ଇମ୍ରାନ ଖାନ ଗିରଫ ହେବା ପରଠାରୁ ପାକିସ୍ତାନରେ ରାଜନୈତିକ ଉତ୍ତେଜନା ଜାରି ରହିଛି । ଇମ୍ରାନଙ୍କ ପାର୍ଟି ପିଟିଆଇର ଜଣେ ପରେ ଜଣେ ସଦସ୍ୟ ଦଳରୁ ଇସ୍ତଫା ଦେଉଥିବାବେଳେ ଏଥିପାଇଁ ଶହେବାଜ ସରକାରଙ୍କୁ ଦାୟୀ କରିବା ସହ ଦେଶର ବିଭିନ୍ନ ଅଞ୍ଚଳରେ ପାକିସ୍ତାନ ସମ୍ବିଧାନର ଧାରା ୨୪୫ ଲାଗୁ ବିରୋଧରେ ପାକ୍ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଇମ୍ରାନ ଖାନ ।