କୁନୋ ଜାତୀୟ ଉଦ୍ୟାନରେ ଚିତା ଲଢେଇ

0

ଭୋପାଳ: ଆଫ୍ରିକାରୁ ଆଣି ମଧ୍ୟପ୍ରଦେଶର ‘କୁନୋ ଜାତୀୟ ଉଦ୍ୟାନ’ରେ ଛଡ଼ା ଯାଇଥିବା ଚିତାମାନଙ୍କ ମଧ୍ୟରେ ଲଢ଼େଇ ହେବାରୁ ‘ଅଗ୍ନି’ ନାମରେ ଗୋଟାଏ ଅଣ୍ଡିରା ଚିତା ଆହତ ହୋଇଥିବା କଥା ମଙ୍ଗଳବାର ଦିନ ବନ ବିଭାଗ ଅଧିକାରୀ ଉତ୍ତମ କୁମାର ଶର୍ମା କହିଛନ୍ତି।

ସଂଗୃହୀତ ସୂଚନା ଅନୁସାରେ,  ସୋମବାର ସନ୍ଧ୍ୟା ବେଳେ ଜାତୀୟ ଉଦ୍ୟାନର ଶେଓପୁର ଅଞ୍ଚଳରେ ଦୁଇ ଦଳ ହୋଇ ଚିତାମାନେ ଲଢ଼େଇରେ ମାତିଥିଲେ। ଜଣେ ରେଞ୍ଜର୍‌ କହନ୍ତି, ସୋମବାର ଦିନ ‘ଅଗ୍ନି’ ଓ ‘ବାୟୁ’ ନାମକ ଦୁଇଟି ଚିତାଙ୍କୁ ଜାତୀୟ ଉଦ୍ୟାନ ଅନ୍ତର୍ଗତ ପୀପଲ୍‌ୱାଡ଼ି ଜଙ୍ଗଲରେ ଛାଡ଼ିଦିଆଯାଇଥିଲା। ପରେ ପରେ ଦୁହେଁ ଜଙ୍ଗଲ ମଧ୍ୟରେ ପ୍ରବାହିତ ନଦୀ ପାର ହୋଇ ଆରପାରି ଜଙ୍ଗଲରେ ଥିବା ‘ଗୌରବ’ ଓ ‘ଶୌର୍ଯ୍ୟ’ ନାମକ ଆଉ ଦୁଇଟି ଚିତାଙ୍କ ଅଞ୍ଚଳକୁ ପ୍ରବେଶ କରିଥିଲେ।

ଫଳରେ ନିଜ ନିଜ ଅଞ୍ଚଳର ଆଧିପତ୍ୟକୁ ନେଇ ଚିତାମାନେ ଦଳବଦ୍ଧ ହୋଇ ପରସ୍ପରକୁ ଆକ୍ରମଣ କରିଥିଲେ। ଏହି ସଂଘର୍ଷରେ ଅଣ୍ଡିରା ଚିତା ‘ଅଗ୍ନି’ ଆହତ ହୋଇଥିଲା। ଏବେ ତା’ର ଚିକିତ୍ସା ଚାଲିଛି ଏବଂ ସେ କ୍ରମଶଃ ସୁସ୍ଥ ହେଉଛି।

ସୂଚନାଯୋଗ୍ୟ, ଖୁଆଡ଼ରେ ଥିବା ବାକି ଚିତାମାନଙ୍କୁ ଜଙ୍ଗଲକୁ ଛାଡ଼ିବା ପାଇଁ ଉଦ୍ୟମ କରାଯାଉଛି ବୋଲି ‘କୁନୋ ଜାତୀୟ ଉଦ୍ୟାନ’ର ଅଧିକାରୀମାନେ କହିଛନ୍ତି। ସମୁଦାୟ ୧୭ଟି ଚିତାରୁ ୧୦ଟିଙ୍କୁ ଜଙ୍ଗଲକୁ ଛାଡ଼ି ଦିଆଯାଇଛି। ବାକୀ ୭ଟି ଚିତାରୁ ୩ଜଣଙ୍କୁ ଅଳ୍ପ ଦିନ ମଧ୍ୟରେ ଜଙ୍ଗଲକୁ ଛଡ଼ାଯିବାର ବ୍ୟବସ୍ଥା କରାଯାଉଛି।

ଉଲ୍ଲେଖଯୋଗ୍ୟ, ଉଦ୍ୟାନରେ ଜନ୍ମ ଗ୍ରହଣ କରିଥିବା ୪ଟି ଚିତା ଶାବକଙ୍କ ମଧ୍ୟରୁ ୩ଜଣଙ୍କ ସମେତ ଗତ ମାର୍ଚ ମାସରୁ ସମୁଦାୟ ୬ଟି ଚିତାଙ୍କର ମୃତ୍ୟୁ ଘଟିଲାଣି।

Leave A Reply

Your email address will not be published.