ବାହାନଗା ଟ୍ରେନ ଟ୍ରାଜେଡି: ବିଦା ହେଲେ ଜେନେରାଲ ମ୍ୟାନେଜର

0

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାର ମାସେ ପରେ ପଦରୁ ହଟିଲେ ଦକ୍ଷିଣ- ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ। ତାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦେବାକୁ କ୍ୟାବିନେଟ ନିଯୁକ୍ତି ସମିତି ଅନୁମତି ଦେଇଛି। ଭାରତୀୟ ରେଳବାଇ ପକ୍ଷରୁ ଏନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ- ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଥିବା ଅର୍ଚ୍ଚନା ଯୋଶୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ତାଙ୍କୁ କର୍ଣ୍ଣାଟକର ୟେଲହଁକାରେ ରେଳ ଚକା କାରଖାନାର ଜେନେରାଲ ମ୍ୟାନେଜର କରାଯାଇଛି।

ଗତ ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ହୋଇଥିଲା ମର୍ମନ୍ତୁଦ ରେଳ ଦୁର୍ଘଟଣା। କରମଣ୍ଡଳ ଏକ୍ସପ୍ରେସ୍ ପ୍ରଥମେ ଏକ ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ଟ୍ରାକରୁ ଖସି ଥିବା ବଗିଗୁଡ଼ିକ ଅନ୍ୟ ଏକ ଟ୍ରାକ୍‌ରେ ପଡ଼ିଥିବା ବେଳେ ତାହାକୁ ଯଶୱନ୍ତପୁର ହାୱଡ଼ା ଟ୍ରେନ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨୯୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ହଜାରେ ଲୋକ ଆହତ ହୋଇଥିଲେ।

ପ୍ରାୟ ମାସେ ପାଖାପାଖି ହେବ ଘଟିଥିବା ଏହି ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସି ସାରିଥିଲେ ମଧ୍ୟ ରେଳବାଇ ତାହାକୁ ସାର୍ବଜନୀନ କରିନାହିଁ । ରେଳବାଇ ନିରାପତ୍ତା କମିଶନ ନିଜର ତଦନ୍ତ ରିପୋର୍ଟକୁ ରେଳବାଇ କୋର୍ଡଙ୍କ ନିକଟରେ ଦାଖଲ କରିଥିଲେ ମଧ୍ୟ ସିବିଆଇ ତଦନ୍ତ ଜାରି ରହିଥିବାରୁ ଏହି ରିପୋର୍ଟକୁ ସାର୍ବଜନୀନ କରାଯିବ ନାହିଁ ବୋଲି ରେଳବାଇ ସୂତ୍ରରୁ ଜଣାପଡ଼ିଛି । ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁ ବାହାନଗା ଦୁର୍ଘଟଣା ଘଟିଲା ବୋଲି ନିରାପତ୍ତା କମିଶନର ତାଙ୍କ ରିପୋର୍ଟରେ ଦର୍ଶାଇଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି । ରେଳବାଇ ଏନେଇ କୌଣସି ସୂଚନା ଦେବାକୁ ମନା କରିଦେଇଛି ।

Leave A Reply

Your email address will not be published.