ମୁମ୍ବାଇ (ଆମ ଟିଭି): ମହାରାଷ୍ଟ୍ରରେ ରାଜନୈତିକ ହାଇଡ୍ରାମା ଦିନକୁ ଦିନ ରୋଚକ ମୋଡ଼ ନେବାରେ ଲାଗିଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୨ ଦିନ ପରେ ଅଜିତ ପାୱାର ଆଜି ରାଜ୍ୟ ସଚିବାଳୟ ନିକଟରେ ଏନ୍ସିପିର ଏକ ନୂଆ ପାର୍ଟି ଅଫିସ ଉଦ୍ଘାଟନ କରିଛନ୍ତି। କିନ୍ତୁ ଅଜିତ ପାୱାରଙ୍କ ଗୋଷ୍ଠୀର ନେତାମାନେ ଆଜି ନୂଆ ‘ରାଷ୍ଟ୍ରବାଦୀ ଭବନ’ରେ ପହଞ୍ଚିବା ବେଳକୁ ସେମାନେ ବଙ୍ଗଳାର ମୁଖ୍ୟ ଦ୍ବାରରେ ତାଲା ପଡ଼ିଥିବା ଦେଖିଥିଲେ। ଚାବି ପାଇଁ ଅପେକ୍ଷା କରି ନେତାମାନେ ବଙ୍ଗଳା ବାହାରେ ପଡ଼ିଥିବା ଚେୟାରରେ ଅନେକ ସମୟ ପର୍ଯ୍ୟନ୍ତ ବସି ରହିଥିଲେ। ପରେ କିଛି ଯୁବନେତା ଏହି ଅଫିସର ମୁଖ୍ୟ ଦ୍ବାରରେ ପଡ଼ିଥିବା ତାଲାକୁ ଭାଙ୍ଗିଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ସେମାନେ ମୁଖ୍ୟ ଦ୍ବାର ତାଲା ଭାଙ୍ଗି ବଙ୍ଗଳା ଭିତରକୁ ପଶିବା ବେଳକୁ ଅନ୍ୟ ସବୁ ପ୍ରକୋଷ୍ଠଗୁଡ଼ିକରେ ବି ତାଲା ପଡ଼ିଥିଲା।
ଇତିମଧ୍ୟରେ ଅଜିତ ପାୱାରଙ୍କ ଏନ୍ସିପି, ସିନ୍ଦେ ନେତୃତ୍ବାଧୀନ ସେନା ଏବଂ ବିଜେପିର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଅଜିତ ନିଜ ପାଖରେ ଅର୍ଥ ମନ୍ତ୍ରାଳୟ ରଖିବାକୁ ଚାହୁଥିବା ବେଳେ ଏଥିପାଇଁ ସିନ୍ଦେ ଗୋଷ୍ଠୀ ରାଜି ହେଉନଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ବିଜେପି କୌଣସି ପ୍ରତିକ୍ରିୟା ଦେଇନାହିଁ।