ଚିନ୍ତାରେ ଚାଷୀ
ଭୁବନେଶ୍ବର : ରାଜ୍ୟରେ ବର୍ଷାକୁ ନେଇ ଧୀରେ ଧୀରେ ଚିନ୍ତାଜନକ ସ୍ଥିତି ସାମ୍ନାକୁ ଆସିଲାଣି। ମୌସୁମୀଜନିତ ନିମ୍ନଚାପ ରେଖା ଏବେ ଉତ୍ତର ଦିଗକୁ ଗତି କରୁଥିବାରୁ ରାଜ୍ୟରେ ବର୍ଷା କମିଛି। ଆଜି ଗୋଟିଏ ଦିନରେ ରାଜ୍ୟରେ ୭୭% କମ୍ ବର୍ଷା ହୋଇଥିବା ବେଳେ ଜୁନ୍ ୧ରୁ ଜୁଲାଇ ୧୦ ତାରିଖ ମଧ୍ୟରେ ସମୁଦାୟ ୨୭% କମ୍ ବର୍ଷା ରେକର୍ଡ ହେଲାଣି। ତେବେ ଜିଲ୍ଲାୱାରି ବର୍ଷାର ସ୍ଥିତି ଉପରେ ନଜର ପକାଇଲେ ଆହୁରି ସାଂଘାତିକ ଚିତ୍ର ମିଳୁଛି। ରାଜ୍ୟରେ ୧୮ଟି ଜିଲ୍ଲାର ନିଅଣ୍ଟିଆ ବର୍ଷା ସ୍ଥିତି ରହିଥିବା ବେଳେ କଳାହାଣ୍ଡିରେ ବର୍ତ୍ତମାନ ସୁଦ୍ଧା ୬୬% କମ୍ ଅର୍ଥାତ ଅତି ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି ହୋଇଛି। ଫଳରେ ରାଜ୍ୟର କିଛି ଅଞ୍ଚଳରେ ଗଜା ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଜୁନ୍ ୧ରୁ ଜୁଲାଇ ୧୦ ତାରିଖ ମଧ୍ୟରେ ରାଜ୍ୟରେ ସର୍ବମୋଟ୍ ୨୨୨.୭ ମିମି ବର୍ଷା ହୋଇଛି। ଏହି ସମୟ ଅବଧି ମଧ୍ୟରେ ୩୦୪.୨ ମିମି ବର୍ଷା ହେବା କଥା। ବିଳମ୍ବରେ ମୌସୁମୀ ଆସି ଜୁନ୍ରେ ୧୯% କମ୍ ବର୍ଷିଛି। ଏଣୁ ଜୁଲାଇ ବର୍ଷା ଏହି ନିଅଣ୍ଟିଆ ସ୍ଥିତିକୁ ଭରଣା କରିବ ବୋଲି ଆଶା କରାଯାଉଥିଲା। ହେଲେ ଜୁଲାଇର ଅଭାବୀ ବର୍ଷା ଏହି ସ୍ଥିତିକୁ ଅଧିକ ଉତ୍କଟ କରି ଦେଇ ୨୭% ନିଅଣ୍ଟିଆ ସ୍ଥିତିରେ ପହଞ୍ଚାଇଲାଣି।
ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ନିଅଣ୍ଟିଆ ବର୍ଷା ଜାରି ରହିଛି। ମଡେଲ୍ କହୁଛି, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ। ଝାରସୁଗୁଡ଼ାରୁ କଳାହାଣ୍ଡି ପର୍ଯ୍ୟନ୍ତ ସମସ୍ତ ପଶ୍ଚିମ ଓଡ଼ିଶା, ଅବିଭକ୍ତ କୋରାପୁଟ, କନ୍ଧମାଳ ଓ ଆଭ୍ୟନ୍ତରୀଣ ଗଞ୍ଜାମରେ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ବାକି ସମସ୍ତ ଉପକୂଳ ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ବିକ୍ଷିପ୍ତ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। କେତେକ ସ୍ଥାନରେ ୧୫ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତାପମାତ୍ରା ଓ ଗୁଳୁଗୁଳି ଜାରି ରହିବ। ଆକାଶ ମେଘାଚ୍ଛନ୍ନ ରହିବ କିନ୍ତୁ ବର୍ଷା ହେବ ନାହିଁ।
୧୮ ତାରିଖରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଓଡ଼ିଶାର ସ୍ଥଳ ଭାଗକୁ ଆସିପାରେ। ଏହାଦ୍ବାରା ୧୯ ତାରିଖରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ। ଯଦି ଏହାର ଗତିପଥ କିଛି ଦକ୍ଷିଣକୁ ରହିବ, ତେବେ ବି ଉପକୂଳ ଓ ଉତ୍ତର ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ହୁଏତ ଏହି ବର୍ଷା ଚାଷ କାମକୁ ଆଗେଇବ।