ସଂସଦରେ ପାରିତ ହେଲା ସିନେମାଟୋଗ୍ରାଫ୍ ସଂଶୋଧନ ବିଲ୍ ୨୦୨୩ 

0

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଶିଳ୍ପ ପାଇଁ ସବୁଠାରୁ ବଡ଼ ଖବର । ସିନେମାଟୋଗ୍ରାଫ୍ (ସଂଶୋଧନ) ବିଲ୍, ୨୦୨୩ ଲୋକସଭାରୁ ମଞ୍ଜୁରି ପାଇବା ପରେ ଆଜି ସଂସଦରେ ପାରିତ ହୋଇଛି । ୨୦ ଜୁଲାଇ ୨୦୨୩ ରେ ରାଜ୍ୟସଭାରେ ଏହି ବିଲ୍‌ ଆଗତ କରାଯାଇଥିଲା ଏବଂ୨୭ ଜୁଲାଇରେ ଆଲୋଚନା ପରେ ପାରିତ ହୋଇଥିଲା ।

ଭାରତରେ ଚଳଚ୍ଚିତ୍ର ମନୋରଞ୍ଜନର ଏକ ମୁଖ୍ୟ ସାଧନ, ନିର୍ବାକ ଚଳଚ୍ଚିତ୍ରରୁ ଆରମ୍ଭ କରି ଆଧୁନିକ ୩ଡ଼ି, ୭ଡ଼ି ପର୍ଯ୍ୟନ୍ତ ଅନେକ ସୋପାନ ଦେଇ ଗତିକରିବା ପରେ ବର୍ତ୍ତମାନ ଚଳଚ୍ଚିତ୍ର ଦର୍ଶକ ମାନଙ୍କ ପାଇଁ ମାତ୍ର କେବଳ ଏକ କାହାଣୀର ନାଟ୍ୟ ରୂପାନ୍ତରଣ ନ ହୋଇ ସମ୍ପୂର୍ଣ୍ଣ ମନୋରଞ୍ଜନର ଏକ ଉତ୍କୃଷ୍ଟ ମାଧ୍ୟମ ହୋଇଯାଇଛି ତେଣୁ ଏହି ଶିଳ୍ପର ସୁରକ୍ଷା ନିହାତି ଆବଶ୍ୟକ ଥିଲା ।

୧୯୫୨ ମସିହାରେ ତିଆରି ହୋଇଥିବା ଏହି ଐତିହାସିକ ବିଲ୍ ୪୦ ବର୍ଷ ପରେ ସଂସଦରେ ସିନେମାଟୋଗ୍ରାଫ ସଂଶୋଧନ ବିଲ୍‌ ଭାବେ ପାରିତ ହୋଇଛି ଯାହା ଶେଷଥର ପାଇଁ ୧୯୮୪ ରେ, ସଂଶୋଧନ କରାଯାଇଥିଲା । ଏହି ଆଇନର ଲକ୍ଷ୍ୟ ହେଉଛି ପାଇରେସି ବା ଅନ୍ୟର କାମକୁ ନକଲରୁ ବଞ୍ଚାଇବା ଯାହାଦ୍ବାରା ଏକ ନିର୍ଦ୍ଦିଷ୍ଟ ଆକଳନକୁ ଆଧାର କରି ଚଳଚ୍ଚିତ୍ର ଶିଳ୍ପରେ ହେଉଥିବା ୨୦,୦୦୦ କୋଟି ଟଙ୍କାର କ୍ଷତିକୁ ଅଟକାଇ ହେବ । ଏହି ସଂଶୋଧିତ ବିଲ୍‌ ଅନୁଯାୟୀ ଦୋଷୀ ପାଇଁ ସର୍ବନିମ୍ନ ୩ ମାସ ଜେଲ୍ ଏବଂ ୩ଳକ୍ଷ ଟଙ୍କା ଜରିମାନା ଅନ୍ତର୍ଭୁକ୍ତ କରାଯାଇଛି, ଯାହାକି ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଅଡିଟ୍ ହୋଇଥିବା ମୋଟ ଚଳଚ୍ଚିତ୍ର ପ୍ରସ୍ତୁତି ମୂଲ୍ୟର ୫% ଜରିମାନା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।

ଏହି ସିନେମାଟୋଗ୍ରାଫ୍ (ସଂଶୋଧନ) ବିଲ୍, ୨୦୨୩ ଯେତେବେଳେ ଲୋକସଭାରେ ବିଚାର ଏବଂ ପାରିତ ପାଇଁ ନିଆଯାଇଥିଲା ସେତେବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଥିଲେ ଯେ, ଭାରତ ଏକ କାହାଣୀକାର ଦେଶ ଭାବରେ ଜଣାଶୁଣା ଯାହା ଆମର ସମୃଦ୍ଧ ସଂସ୍କୃତି, ଐତିହ୍ୟ, ଉତ୍ତରାଧିକାରୀ ଏବଂ ବିବିଧତାକୁ ଦର୍ଶାଏ। ଆଗାମୀ ୩ ବର୍ଷରେ ଭାରତର ଚଳଚ୍ଚିତ୍ର ଶିଳ୍ପ ୧୦୦ ବିଲିୟନ ଡଲାରକୁ ବୃଦ୍ଧି ପାଇବ, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବ । ବଦଳୁଥିବା ସମୟର ଅବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ପାଇରେସି ନକଲ ବିରୋଧରେ ଲଢ଼ିବା ଏବଂ ଚଳଚ୍ଚିତ୍ର ଶିଳ୍ପକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଏହି ସଂଶୋଧିତ ବିଲ୍‌ ଏକ ବଡ଼ ମାଧ୍ୟମ ହେବ ।

ଶ୍ରୀ ଠାକୁର ଆହୁରି ମଧ୍ୟ କହିଛନ୍ତି, ସରକାର ପ୍ରତି ୧୦ ବର୍ଷରେ ଚଳଚ୍ଚିତ୍ରର ଲାଇସେନ୍ସର ନବୀକରଣ କରିବାର ଆବଶ୍ୟକତାକୁ ଦୂର କରିଦେଇଛନ୍ତି ଏବଂ ଏହାକୁ ଅଜୀବନ ବୈଧ କରିବେ । ବର୍ତ୍ତମାନ, ନବୀକରଣ ପାଇଁ ସରକାରୀ କାର୍ଯ୍ୟଳୟକୁ ଦୌଡ଼ିବାର କୌଣସି ଆବଶ୍ୟକତା ନାହିଁ । କେ.ଏମ.ଶଙ୍କର ବନାମ ଭାରତ ସରକାରଙ୍କ ମାମଲାରେ ଦିଆଯାଇଥିବା ରାୟକୁ ଦୃଷ୍ଟିରେ ରଖି ସରକାର ନିଜକୁ ସଂଶୋଧନ କ୍ଷମତାରୁ ଦୂରେଇ ରଖିଛନ୍ତି ଏବଂ ବର୍ତ୍ତମାନ ସ୍ବୟଂଶାସିତ ସିବିଏଫସିକୁ ଏହାର ଦେଖାଶୁଣା କରିବାର ସମ୍ପୂର୍ଣ ଅଧିକାର ଦିଆଯାଇଛି ।

Leave A Reply

Your email address will not be published.