ଭୁବନେଶ୍ୱର (ଆମ ଟିଭି): କିଛି ଦିନ ତଳେ ନବୀନ ସରକାର ଆରମ୍ଭ କରିଥିବା ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ବିରୋଧୀ ବି ଏହାକୁ ବେଶ୍ ସମାଲୋଚନା କରିଥିେଏ । ଏହାରି ଭିତରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ବିରୋଧ ସମ୍ପର୍କିତ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । ଏହି ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ୟ୍ୟକାରୀ ପାଇଁ ରହିଥିବା ନିୟମାବଳୀ ଗ୍ରାମ ପଞ୍ଚାୟତ ଆଇନ ଓ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଙ୍ଘନ କରୁଛି । ଏପରି ଅଭିଯୋଗ ଆଣି ରୁଜୁ ମାମଲାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାର, ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ବସ୍ତା ବିଡିଓଙ୍କୁ ନୋଟିସ୍ ଜାରି କରିଛନ୍ତି ।
ତିନି ସପ୍ତାହରେ ମାମଲାରେ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବସ୍ତା ବ୍ଲକରେ ଏହି ଯୋଜନାରେ ପ୍ରକଳ୍ପ କାର୍ୟ୍ୟକାରୀ ବେଳେ ପଞ୍ଚାୟତର ସ୍ୱାର୍ଥ ଓ ଗ୍ରାମସଭାର ସମ୍ପୃକ୍ତି ରହିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ହାଇକୋର୍ଟ କହିଛନ୍ତି, ସରକାରୀ କର୍ତୃପକ୍ଷ ନିଜ ପ୍ରତିଶ୍ରୁତି ମାନିବାକୁ ବାଧ୍ୟ । ୨୦୨୩ ଜୁଲାଇ ୧୧ରେ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା କାର୍ୟ୍ୟକାରୀ ପାଇଁ ମାର୍ଗଦର୍ଶିକା ଜାରି କରିଥିଲେ । ପଞ୍ଚାୟତରେ ସାମାଜିକ, ସାଂସ୍କୃତିକ ଉନ୍ନୟନମୂକଳ କାର୍ୟ୍ୟକୁ ଏଥିରେ ସାମିଲ କରାଯାଇଥିଲା ।