କେନାଲ ବିବାଦ ପୁଣି ଟାର୍ଗେଟ କଲେ ଅପରାଜିତା
ମାଟି ତାଡ଼ି କେନାଲ ସଫା କରିବାକୁ ରାଜ୍ୟ ସରକାରଙ୍କୁ ମାତ୍ର ୩ ଦିନ ସମୟ ଦେଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହାପରେ ରାଜ୍ୟ ସରକାରଙ୍କ ଚେତା ପଶିବା ସହ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଯେଉଁ କାମ ୨ ବର୍ଷ ହେବ ହୋଇ ପାରୁ ନ ଥିଲା ତାହାକୁ କରିବାକୁ ଦେଖା ଦେଇଥିବା ତତ୍ପରତା ପୁଣି ଥରେ ଥଣ୍ଡା ପଡ଼ିଗଲା। ୮ ଦିନ ପରେ ବି ପରିସ୍ଥିତି ଯାହାକୁ ତାହା। ତେଣୁ ଆସନ୍ତା ୩ ଦିନ ସମୟ ମଧ୍ୟରେ ମାଟି ତାଡ଼ି କେନାଲ ଖୋଳା ନ ଗଲେ ୧୧ ତାରିଖରେ ସମଗ୍ର ଅଞ୍ଚଳବାସୀ କେନାଲ ଖୋଳି ଦେବେ ବୋଲି ଚେତାବନୀ ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଥିବା ଡେରାସ୍ ଡ୍ୟାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଅବରୋଧ କରାଯାଇଥିବା ନେଇ ଭୁବନେଶ୍ୱର ସାଂସଦଙ୍କ ନିକଟରେ ବହୁ ପୂର୍ବରୁ ଅଭିଯୋଗ ହୋଇଥିଲା। ଏପରିକି ମାଟି ପକାଇ କେନାଲକୁ ପୋତା ଯାଇଥିବା କହିଥିଲେ ଗ୍ରାମବାସୀ। । ଏହାଦ୍ୱାରା ୪ ଶହ ଏକର ଜମି ଜଳସେଚନରୁ ବଞ୍ଚିତ ହୋଇଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଥିଲେ।