ନୂଆଦିଲ୍ଲୀ (ଆମ ଟିଭି): ବିଶ୍ୱବାସୀ କରୋନା ଜୀବାଣୁ ଆତଙ୍କ ଦେଖିଛନ୍ତି। ଏହା ପରେ ବିଭିନ୍ନ ସ୍ଥାନରେ ଅନ୍ୟ ପ୍ରକାରର ଜୀବାଣୁ ମଧ୍ୟ ଆତଙ୍କ ଖେଳାଇବାରେ ଲାଗିଲାଣି । ଏହି କ୍ରମରେ, ନିପା ଭାଇରସ୍ କେରଳର କୋଜିକୋଡେରେ ବ୍ୟାପିଛି ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଏସବୁ ମଧ୍ୟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଡିଜି ରାଜୀବ ବାହଲ ଭୟାନକ ଆକଳନ କରିଛନ୍ତି।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ସେ କହିଛନ୍ତି ଯେ ନିପା ଭାଇରସରେ ମୃତ୍ୟୁହାର ୪୦-୭୦ ପ୍ରତିଶତ ମଧ୍ୟରେ ରହିଛି। ଏହା ବ୍ୟତୀତ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଅଷ୍ଟ୍ରେଲିଆରୁ ୨୦ ଡୋଜ ମୋନୋକ୍ଲୋନାଲ ଆଣ୍ଟିବଡି କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଆଇସିଏମଆର ମୁଖ୍ୟ କହିଛନ୍ତି, “୨୦୧୮ ମସିହାରେ ଆମେ ଅଷ୍ଟ୍ରେଲିଆରୁ ମୋନୋକ୍ଲୋନାଲ ଆଣ୍ଟିବଡିଗୁଡିକର କିଛି ମାତ୍ରା ନେଇଥିଲୁ। ବର୍ତ୍ତମାନ ଏହି ମାତ୍ରା କେବଳ ୧୦ ରୋଗୀଙ୍କ ପାଇଁ ଉପଲବ୍ଧ । ଆଉ ୨୦ ଟି ଡୋଜ କିଣିବା ।