ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କଲେ ନବୀନ
ଭୁବନେଶ୍ୱର: ନୂଆଦିଲ୍ଲୀରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଣମାଧ୍ୟମକୁ ଭଉଣୀ ଗୀତା ମେହେଟାଙ୍କ ପରଲୋକରେ ଗଭୀର ମର୍ମାହତ ଥିବା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ସକାଳୁ ଗୀତାଙ୍କ ଶେଷ ଦର୍ଶନ କରିବାକୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ, ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଯାଇଥିଲେ। ସେଠାରୁ ଗୀତାଙ୍କ ବାସଭବନରେ ପହଞ୍ଚି ଭଉଣୀଙ୍କ ଶେଷ ଦର୍ଶନ କରିଛନ୍ତି। ଆସନ୍ତାକାଲି ଗୀତାଙ୍କ ଅନ୍ତିମ ସଂସ୍କାର କରାଯିବାର ସୂଚନା ରହିଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ପ୍ରସିଦ୍ଧ ଲେଖିକା, ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକା ଗୀତା ମେହେଟାଙ୍କର ଶନିବାର ରାତିରେ ଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା। ଗୀତାଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି। ୧୯୪୩ ମସିହାରେ ନୂଆଦିଲ୍ଲୀରେ ଜନ୍ମିତ ଗୀତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କର ଏକମାତ୍ର କନ୍ୟା। ସେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ପରେ ବ୍ରିଟେନର କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ଉଚ୍ଚଶିକ୍ଷା ହାସଲ କରିଥିଲେ। ୧୯୬୫ରେ ସେ ଆମେରିକାସ୍ଥିତ ଆଲଫ୍ରେଡ୍ ଏ େନାଫ୍ ପ୍ରକାଶନୀ ସଂସ୍ଥାର ମୁଖ୍ୟ ସନି ମେହେଟାଙ୍କୁ ବିବାହ କରିଥିଲେ। ତାଙ୍କର ୨୦୧୯ ମସିହାରେ ପରଲୋକ ହୋଇଯାଇଛି। ତାଙ୍କର ଏକମାତ୍ର ପୁତ୍ରଙ୍କ ନାମ ଆଦିତ୍ୟ ସିଂହ ମେହେଟା।