ଛାତ୍ର ସଂସଦ ନିର୍ବାଚନ; ଉଚ୍ଚ ନ୍ୟାୟାଳୟ ଗଲା ଏବିଭିପି
କଟକ : ଚଳିତବର୍ଷ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ପ୍ରାର୍ଥନା କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ୍ ପଟ୍ଟନାୟକ ଓ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଚଣ୍ଡୀ ପ୍ରସାଦ ସୁଆର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି।
୫ବର୍ଷ ଧରି ଶିକ୍ଷାନୁଷ୍ଠାନରେ ସଂସଦ ନିର୍ବାଚନ ହେଉନାହଁ। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସଗୁଡ଼ିକ ଉଚ୍ଛୃଙ୍ଖଳ ଓ ଅଶାନ୍ତ ରହିବା ଏବଂ ଲିଙ୍ଗ୍ଡୋ ନିୟମ ପାଳନ କରାନଯିବା ଦର୍ଶାଇ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ କରାଉନାହାନ୍ତି। ଲିଙ୍ଗ୍ଡୋ କମିସନ ରିପୋର୍ଟ ଏବଂ ସମ୍ବିଧାନର ଆର୍ଟିକିଲ ୧୯ (୧ଗ) ବିରୁଦ୍ଧାଚରଣ କରି ଏତାଦୃଶ ନିର୍ଦେଶ ସମ୍ବିଧାନ ଓ ଲିଙ୍ଗ୍ଡୋ କମିସନର ପରିପନ୍ଥୀ ବୋଲି ପିଟିସନରେ ଦର୍ଶାଯାଇଛି। ଏବିଭିପି ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ମୁଖ୍ୟ ସଚିବ, ଶିକ୍ଷା ସଚିବ, ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶକ, ଗଣ ଶିକ୍ଷା ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ମାମଲାର ଗୁରୁତ୍ବ ଦୃଷ୍ଟିରୁ ଏହାର ଶୀଘ୍ର ଶୁଣାଣି ପାଇଁ ମୁଖ୍ୟ ବିଚାରପତିଙ୍କ ଅଦାଲତରେ ପ୍ରାର୍ଥନା କରାଯିବ ବୋଲି ଜଣାପଡ଼ିଛି। ବରିଷ୍ଠ ଆଇନଜୀବୀ ଶ୍ରୀ ଆଚାର୍ଯ୍ୟଙ୍କୁ ମାମଲାରେ ଆଇନଜୀବୀ ସୌମିକ ତ୍ରିପାଠୀ ଏବଂ ସୁମନ ପ୍ରିୟଦର୍ଶିନୀ ପ୍ରମୁଖ ସହାୟତା କରୁଛନ୍ତି।