ଆଜିଠୁ ନୂଆ ସଂସଦ ଭବନରେ ଚାଲିବ ଅଧିବେଶନ

0

ଆଜିଠୁ ଦେଶକୁ ମିଳିବ ନୂଆ ସଂସଦା ନୂଆ ପାର୍ଲାମେଣ୍ଟରେ ବିଧିବଦ୍ଧ ଭାବେ ଉଭୟ ରାଜ୍ୟସଭା ଓ ଲୋକସଭାର ଗୃହକାର୍ଯ୍ୟ ଚାଲିବ। ପୁରୁଣା ସଂସଦରେ ଗ୍ରୁପ୍ ଫଟୋ ସେସନ୍ ପରେ ଦିନ ୧୧ଟାରେ ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ୍ ହଲରେ ବସିବ ମିଳିତ ଅଧିବେଶନ । ଏଥିରେ ଭାରତୀୟ ସଂସଦର ସମୃଦ୍ଧ ପରଂପରା ଓ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଦିଗରେ ଆଲୋଚନା ହେବ। ଆସନ୍ତା ୨୨ ତାରିଖ ଯାଏଁ ୫ ଦିନ ଧରି ସ୍ୱତନ୍ତ୍ର ଅଧିବେଶନ ଚାଲିବ।

ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହେବା ପରେ ବି ପୁରୁଣା ସଂସଦ ଭବନ ଅବ୍ୟବହୃତ ଅବସ୍ଥାରେ ପଡ଼ିବନି କିମ୍ବା ଏହାକୁ ଭଙ୍ଗାଯିବନି। ଏହାକୁ ସଂରକ୍ଷିତ କରାଯିବ ଓ ସେଠାରେ ଆନୁସଙ୍ଗିକ ସଂସଦୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମ୍ଭବତଃ ସେଠାରେ ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ବି ଯୋଜନା ଥିବା ଚର୍ଚ୍ଚା ହେଉଛି।

ଅତ୍ୟାଧୁନିକ ବ୍ୟବସ୍ଥାରେ ଭରି ରହିଛି ନୂଆ ସଂସଦ

ନୂଆ ସଂସଦ ଭବନରେ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା। ଏଠାରେ ଲୋକସଭାରେ ୮୮୮ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା ଥିବା ବେଳେ ରାଜ୍ୟସଭାରେ ୩୮୪ ଜଣ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା ରହିଛି। ଅନ୍ୟପଟେ ବର୍ତ୍ତମାନର ସଂସଦ ଭବନର ଲୋକସଭାରେ ୫୪୩ ଓ ରାଜ୍ୟସଭାରେ ୨୫୦ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା ଅଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ବର୍ତ୍ତମାନର ସଂସଦ ଭବନ ନିର୍ମାଣ କରାଯାଇଥିବା କେନ୍ଦ୍ର ସରକାର କହିଛନ୍ତି।

ନୂଆ ପାର୍ଲାମେଣ୍ଟ ୬୪ ହଜାର ୫ଶହ ବର୍ଗମିଟର ଅଞ୍ଚଳରେ ନିର୍ମାଣ କରାଯାଇଛି। ତ୍ରିଭୂଜାକାର ଏହି ସଂସଦ ଭବନକୁ ଗତ ମେ’ ୨୮ରେ ଦେଶକୁ ଉତ୍ସର୍ଗ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଲୋକସଭାକୁ ଜାତୀୟ ପକ୍ଷୀ ମୟୂର ଭଳି ଡିଜାଇନରେ ସଜ୍ଜିତ କରାଯାଇଥିବା ବେଳେ ରାଜ୍ୟସଭାକୁ ଜାତୀୟ ପୁଷ୍ପ ପଦ୍ମ ଭଳି ଡିଜାଇନ କରାଯାଇଛି । ତ୍ରିକୋଣାକାର ୪ ମହଲାଯୁକ୍ତ ନୂଆ ସଂସଦ ଭବନ- ଇକୋ ଫ୍ରେଣ୍ଡଲି, ଦିବ୍ୟାଙ୍ଗ ଫ୍ରେଣ୍ଡଲି ଓ ଭୂକଂପରୋଧୀ। ସୌରଶକ୍ତି ବିନିଯୋଗ ଏବଂ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ରହିଛି।

Leave A Reply

Your email address will not be published.