ପଶ୍ଚିମବଙ୍ଗରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସ୍ଥଗିତ

0

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଫଟୋ ଭୋଟର ତାଲିକା-୨୦୨୭ର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍‌ଏସ୍‌ଆର୍‌) ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଆସନ୍ତା ନଭେମ୍ବର ୨୩ ତାରିଖରୁ ସମଗ୍ର ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଚିଠା ତାଲିକା ପ୍ରକାଶ ପାଇବା ସହ ନୂଆ ନାମ ପଞ୍ଜୀକରଣ ଓ ସଂଶୋଧନ ଆବେଦନ ଗ୍ରହଣ କରାଯିବାର ଥିଲା। ତେବେ ନିର୍ବାଚନ କମିଶନ ପକ୍ଷରୁ ଜାରି ବିଜ୍ଞପ୍ତିରେ “ବହୁବିଧ କାରଣ” ଦର୍ଶାଇ ଏହି ପ୍ରକ୍ରିୟାକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ପରିବର୍ତ୍ତିତ କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି କୁହାଯାଇଛି।

ପ୍ରକାଶ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୨୩ ତାରିଖରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ ପାଇବାର ଥିଲା। ଏହାସହିତ ଭୋଟରମାନଙ୍କ ଦାବି, ଆପତ୍ତି, ନୂତନ ନାମ ପଞ୍ଜୀକରଣ ଏବଂ ସଂଶୋଧନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥାନ୍ତା ଏବଂ ଚୂଡ଼ାନ୍ତ ଭୋଟର ତାଲିକା ଜାନୁଆରୀ ୧୬, ୨୦୨୭ରେ ପ୍ରକାଶ ପାଇବାର କାର୍ଯ୍ୟକ୍ରମ ରହିଥିଲା। ତେବେ ପଶ୍ଚିମବଙ୍ଗ ସିଇଓ କାର୍ଯ୍ୟାଳୟ ପକ୍ଷରୁ ଏହି ସ୍ଥଗିତାଦେଶ ପଛର ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ କରାଯାଇ ନାହିଁ। କେବଳ ଏତିକି ସୂଚନା ଦିଆଯାଇଛି ଯେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନର ପରିବର୍ତ୍ତିତ କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯିବ।

Leave A Reply

Your email address will not be published.